ଋଷ-ୟୁକ୍ରେନ ଯୁଦ୍ଧ: ଋଷ ବିରୁଦ୍ଧରେ ଅସ୍ତ୍ରଶସ୍ତ୍ର ଉଠାଇବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି, କହିଲେ ଯିଏ ଯୁଦ୍ଧ କରିବାକୁ...

ଶେଷରେ ଆଧିକାରୀକ ଭାବରେ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛି ଋଷ। ସୃଷ୍ଟି ହୋଇଥିବା ଯୁଦ୍ଧ ଭଳି ପରିସ୍ଥିତିରେ ଋଷ ୟୁକ୍ରେନ ଉପରେ ଭାରି ପଡୁଥିବା ସ୍ପଷ୍ଟ ଭାବରେ ଜଣାପଡୁଛି। ଉଭୟ ଆୟତନ ଏବଂ ସାମରିକ ଶକ୍ତିରେ ଋଷ ୟୁକ୍ରେନ ଠାରୁ ଯଥେଷ୍ଟ ଆଗରେ ଥିବାବେଳେ ଏବେ ଯୁଦ୍ଧ ଲଢ଼ିବା ପାଇଁ ଜନସାଧାରଣଙ୍କର ସହାୟତା ଲୋଡ଼ିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡାଇମଏର ଜେଲେନସ୍କି।
ଖବର ଅନୁଯାଇ ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ଯେ "ଯେଉଁମାନେ ଏବେ ବି ସେମାନଙ୍କ ବିବେକ ହରାଇ ନାହାଁନ୍ତି ସେମାନେ ସମସ୍ତେ ଋଷ ବିରୋଧରେ ୟୁକ୍ରେନ୍ ସହିତ ମିଶି ଅସ୍ତ୍ର ଉଠାଇବା ଦରକାର। ୟୁକ୍ରେନ୍ର ସମସ୍ତ ନାଗରିକଙ୍କ ପାଇଁ ଅସ୍ତ୍ରଶସ୍ତ୍ର କଟକଣା ଉଠାଇ ଦିଆଯିବ। ଯେଉଁମାନେ ଋଷ ବିରୋଧରେ ନିଜ ଦେଶ ପାଇଁ ଲଢ଼ିବାକୁ ଚାହିଁବେ ସେମାନଙ୍କୁ ଅସ୍ତ୍ର ଯୋଗାଇ ଦିଆଯିବ"। ଯୁଦ୍ଧ ପରିସ୍ଥିତିରୁ ବର୍ତ୍ତିବା ପାଇଁ ୟୁକ୍ରେନ ରାଷ୍ଟ୍ରପତିଙ୍କର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ମିଶ୍ରିତ ମତ ମିଳିଛି।
କେବଳ ଏତିକି ନୁହେଁ ରାଷ୍ଟ୍ରପତି ଜେଲେନସ୍କି ଦେଇଥିବା ବିବୃତିରେ ସେ ଋଷର ଆକ୍ରମଣକୁ ନାଜି ଜର୍ମାନୀ ଆକ୍ରମଣ ସହିତ ତୁଳନା କରିଛନ୍ତି। ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ଯେଉଁଭଳି ଭାବରେ ବିଶ୍ୱାସଘାତକତା କରିଥିଲେ ୟୁକ୍ରେନ ମଧ୍ୟ ସେହିପରି କରୁଛି ବୋଲି ସେ କହିଛନ୍ତି। ତେବେ, ସ୍ୱାଧୀନତା ପାଇଁ ୟୁକ୍ରେନ ଏହି ଯୁଦ୍ଧ ଜାରି ରଖିବ ବୋଲି ଜେଲେନସ୍କି ସ୍ପଷ୍ଟ କରିଛନ୍ତି।