ୟୁକ୍ରେନ୍ ରେ ଖାଦ୍ୟ ପାଇଁ ହାହାକାର, ଖାଦ୍ୟ ଅଭାବରୁ ବୁଲା କୁକୁରଙ୍କୁ ମାରି ଖାଉଛନ୍ତି ଲୋକେ, ଆଉ ତାପରେ...

 
Ukraine

ଏକ ମାସରୁ ଅଧିକ ସମୟ ହେବ ଚାଲିଛି ଋଷ ଏବଂ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ। ଋଷ ୟୁକ୍ରେନ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରଖିଥିବା ବେଳେ ଏହାର ଘୋର ବିରୋଧ କରୁଛନ୍ତି ୟୁକ୍ରେନ ସେନା। ଖାସ୍ କରି ୟୁରୋପୀୟ ରାଷ୍ଟ୍ର ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାପରେ ୟୁକ୍ରେନକୁ ଋଷୀୟ ଆକ୍ରମଣର ପ୍ରତିରୋଧ କରିବାକୁ ବଳ ମିଳିଛି। ଗୋଟିଏ ପଟେ ଶାନ୍ତି ଆଲୋଚନା ବିଫଳ ହେବାପରେ ୟୁକ୍ରେନ ଉପରେ ଅଧିକ ଆକ୍ରମଣାତ୍ମକ ହୋଇପଡିଛି ଋଷ।

War

ରାଜଧାନୀ କିଭ୍ ବ୍ୟତୀତ ବନ୍ଦର ସହର ମାରିଉପୋଲରେ ଅବସ୍ଥା ସାଙ୍ଘାତିକ ରହିଛି। ପ୍ରତିରକ୍ଷା ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ ଏକ ସହରକୁ ଋଷ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରି ଦେଇଛି। ଖାଦ୍ୟ, ପାନୀୟ ଏବଂ ବିଜୁଳି ନଥିବା ଏହି ସହରରେ ଲୋକେ ହନ୍ତସନ୍ତ ହୋଇ ଜୀବନ ବିତାଉଛନ୍ତି। ଏପରିକି ଖାଦ୍ୟ ଅଭାବରୁ ଏଠାକାର ଲୋକେ ବୁଲା କୁକୁରଙ୍କୁ ଖାଇବା ସହିତ ଗାଡି ରାଡ଼ିଏଟର୍ ଏବଂ ବରଫକୁ ତାରଳାଇ ପିଉଥିବା ଜଣାଯାଇଛି। ଏହି ସହରକୁ ଋଷ ହାତକୁ ଟେକିଦେଲେ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ପୁଟିନ କହୁଥିବା ବେଳେ ୟୁକ୍ରେନ ଏହି କଥାରେ ରାଜି ହେଉନାହିଁ।

Dog

 ଏଠାରେ ଉଲ୍ଲେଖଯୋଗ୍ୟ ଯେ ବୋମା ଏବଂ ମିସାଇଲ ଆକ୍ରମଣରେ ମାରିଉପୋଲର ୮୦ ପ୍ରତିଶତ ଭିତ୍ତିଭୂମି ଧରାଶାୟୀ ହୋଇପଡିଛି। ସେଥିମଧ୍ୟରୁ ୪୦ ପ୍ରତିଶତ ଭିତ୍ତିଭୂମିର ଆଗକୁ ପୁନର୍ନିମାଣ ଆଦୌ ସମ୍ଭବ ନୁହେଁ ବୋଲି ଆକଳନ କରାଯାଉଛି। ଧ୍ୱଂସର ତାଣ୍ଡବଲୀଳା ଚାଲିଥିବା ବେଳେ ଏବେ ସୁଦ୍ଧା ଏଠାରେ ଦେଢ ଲକ୍ଷରୁ ୩ ଲକ୍ଷ ଯାଏଁ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। ଯୁଦ୍ଧରେ ଏହି ସହରରେ ୨ ହଜ଼ାର ୩ ଶହ ଲୋକେ ମୃତ୍ୟୁବରଣ କରିଥିବା କୁହାଯାଉଥିଲେ ହେଁ ଏହାର ପ୍ରକୃତ ସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଅନୁମାନ କରାଯାଉଛି।