ଦେଖନ୍ତୁ ଭିଡ଼ିଓ: ପୋଲିସର ଗୁଣ୍ଡାରାଜ୍! ବିଚ୍ ରାସ୍ତାରେ ଏହି କାରଣରୁ ବୟସ୍କ ଶିକ୍ଷକଙ୍କୁ ମାଡ଼ ମାରିଲେ ମହିଳା କନେଷ୍ଟବଳ

ପୋଲିସର ଗୁଣ୍ଡାରାଜ୍, ସାମାନ୍ୟ କଥାରୁ ବୟସ୍କ ଶିକ୍ଷକଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିଲେ ଦୁଇ ମହିଳା କନେଷ୍ଟବଳ। ବିହାର ସ୍ଥିତ କାଇମୁର ଜିଲ୍ଲାରେ ଏଭଳି ଘଟଣା ଘଟିଥିବା ବେଳେ ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଘଟଣାରେ ସମ୍ପୃକ୍ତ ଦୁଇ କନେଷ୍ଟବଳଙ୍କୁ ଚିହ୍ନଟ କରାଯାଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାଇ ଶିକ୍ଷକଙ୍କ ନାମ ନାଭାଲ୍ କିଶୋର ପାଣ୍ଡେ ହୋଇଥିବା ବେଳେ ତାଙ୍କ ବୟସ ୭୦ ବର୍ଷ ହେବ। ଘଟଣା ଦିନ ସେ ଏକ ଘରୋଇ ସ୍କୁଲରେ ପାଠ ପଢ଼ାଇ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ତେବେ, ରାସ୍ତାରେ ଆସିବା ସମୟରେ ସେ ସାଇକେଲରୁ ତଳେ ପଡ଼ିଯାଇଥିଲେ। ସାଇକେଲ ଉଠାଇବାକୁ ତାଙ୍କୁ କଷ୍ଟ ହେଉଥିବା ବେଳେ କିଛି ସମୟ ଲାଗିଥିଲା।
ଯେଉଁଥିପାଇଁ ଘଟଣାସ୍ଥଳରେ ଟ୍ରାଫିକ୍ ଜାମ୍ ହୋଇ ଯାଇଥିଲା। ଘଟଣାସ୍ଥଳରେ ସମ୍ପୃକ୍ତ ଦୁଇ ମହିଳା କନେଷ୍ଟବଳ ପହଞ୍ଚିବା ପରେ ସେମାନେ ନାଭାଲଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କୁ ମାଡ଼ ମାରିଥିଲେ। ଘଟଣାରେ ଶିକ୍ଷକଙ୍କ ଦେହ ଏବଂ ହାତରେ ଆଘାତ ଲାଗିଥିବା ଜଣାପଡିଛି। ଘଟଣାର ଭିଡ଼ିଓ ଭାଇରାଲ ହେବାପରେ ଏଭଳି କାମ କରିଥିବା କନେଷ୍ଟବଳଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିହାର ପୋଲିସ ଟ୍ୱିଟ କରି ଜଣାଇଛି।