କେକେଙ୍କ ଶରୀର ଓ ମୁହଁରେ କ୍ଷତ ଚିହ୍ନଥିବା ସୂଚନା ମିଳିବା ପରେ ମୃତ୍ୟୁକୁ ନେଇ ବଢ଼ିଲା ସସପେନ୍ସ, ଜାଣନ୍ତୁ କେମିତି ହେଲା

କୋଲକାତାରେ ଏକ ଲାଇଭ୍ ସୋ କରୁଥିବା ସମୟରେ ପ୍ରସିଦ୍ଧ ବଲିଉଡ଼ ଗାୟକ କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେଙ୍କର ମୃତ୍ୟୁ ଘଟିଛି। ଯଦିଓ ହୃଦଘାତ ହେତୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି, ତଥାପି ଆୟୋଜକମାନେ ସେଠାରେ ସାଧାରଣ ସୁବିଧା ସୁଯୋଗ ଉପଲବ୍ଧ କରାଇ ନ ଥିବାରୁ ଏଭଳି ଘଟିଥିବା କୁହାଯାଉଛି। ଏଥିନେଇ କୋଲକାତା ପୋଲିସ ଆୟୋଜକ ମାନଙ୍କୁ ପଚରା ଉଚରା ଜାରି ରଖିଛି।
ତେବେ, ଯେଉଁଠାରେ କନ୍ସର୍ଟ ହେଉଥିଲା ତାହା ଏକ ଇଣ୍ଡୋର ହଲ୍ ଥିବା ବେଳେ ସେଠାରେ ଏସି ସୁବିଧା ନ ଥିବା କଥା କୁହାଯାଉଛି। କେବଳ ଏତିକି ନୁହେଁ ସେଠାରେ ଦରକାର ଠାରୁ ଅଧିକ ଲୋକ ଉପସ୍ଥିତ ଥିବା କୁହାଯାଉଛି। ଗୀତ ଗାଇବା ସମୟରେ କେକେ ରୁମାଲ ସାହାଯ୍ୟରେ ବାରମ୍ଭାର ଝାଳ ପୋଛୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ, ଜଣେ ବଲିଉଡ଼ ଗାୟକ ଆସିଥିବା ବେଳେ ଆୟୋଜକମାନେ ଏପରି ଭୁଲ କିପରି କରିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କେବଳ ଏତିକି ନୁହେଁ ବରଂ ଜାତୀୟ ଗଣମାଧ୍ୟମ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାଇ ମୃତ୍ୟୁ ସମୟରେ କେକେଙ୍କର ମୁହଁ ଏବଂ ମୁଣ୍ଡରେ କ୍ଷତ ଚିନ୍ହ ରହିଛି। ସେ ଯେଉଁ ହୋଟେଲରେ ରାହୁଥିଲେ ସେଠାକାର କର୍ମଚାରୀ ମାନଙ୍କୁ ମଧ୍ୟ ପୋଲିସ ପକ୍ଷରୁ ଜେରା କରାଯାଇଛି। କେଉଁ ପରିସ୍ଥିତିରେ କେ.କେଙ୍କର ମୃତ୍ୟୁ ଘଟିଛି ସେଥିନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।