ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟକୁ ପ୍ରଶଂସା କରିଲା ଋଷ, ଭାରତକୁ S-400 ଯୋଗାଇବ ଋଷ, ଜାଣନ୍ତୁ କଣ କହିଲା ଋଷ

 
Russia india

ୟୁକ୍ରେନ ଏବଂ ଋଷ ମଧ୍ୟରେ ବିଗତ ୩୦ ବର୍ଷ ଧରି ଚାଲିଥିବା ବିବାଦ ଭୟଙ୍କର ଯୁଦ୍ଧର ରୂପ ନେଇଛି। ଋଷ ଇତିମଧ୍ୟରେ ୟୁକ୍ରେନ ଉପରେ ଆକ୍ରମଣ କରିସାରିଛି। ତେବେ, ଯୁଦ୍ଧ ସମୟରେ କେତେକ ରାଷ୍ଟ୍ର ଋଷକୁ ସମର୍ଥନ କରୁଥିବା ବେଳେ ଆଉ କେତେକ ଦେଶ ୟୁକ୍ରେନକୁ ସମର୍ଥନ କରୁଛନ୍ତି। କିନ୍ତୁ, ଏହାରି ଭିତରେ ଭାରତ କୂଟନୈତିକ ରଣନୀତି ଅପଣାଇଛି। ଭାରତ ଏହି ଘଟଣାକୁ ନେଇ ମିଳିତ ଜାତିସଂଘରେ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଛି ଯାହାକୁ ନେଇ ଋଷ ତରଫରୁ ପ୍ରଶଂସା କରାଯାଇଛି।

Ambassador

ଏହାରି ଭିତରେ ଭାରତର ଆଭିମୁଖ୍ୟକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଭାରତରେ ଥିବା ଋଷର ରାଷ୍ଟ୍ରଦୂତ ଡେନିସ୍ ଅଲିପୋଭ। ୟୁକ୍ରେନ ଯୁଦ୍ଧ, ଭାରତ ସହ ସମ୍ପର୍କ ଏବଂ S-400 ଇତ୍ୟାଦି ବିଷୟରେ ବିଶେଷ ଭାବରେ ସେ ସୂଚନା ଦେଇଛନ୍ତି। କେବଳ ଏତିକି ନୁହେଁ ୟୁକ୍ରେନରେ ଭାରତୀୟ ଛାତ୍ରଙ୍କର ମୃତ୍ୟୁକୁ ନେଇ ସେ ଉଦ୍ବେଗ ପ୍ରକାଶ କରିବା ସହିତ ଭାରତୀୟ ଛାତ୍ରମାନଙ୍କୁ ସୁରକ୍ଷିତ ୟୁକ୍ରେନରୁ ବାହାର କରିବା ପାଇଁ ଋଷ ଏକ ସୁରକ୍ଷିତ କରିଡର ତିଆରି କରୁଥିବା ସେ କହିଛନ୍ତି।

S-400

ସବୁଠାରୁ ବଡ଼ କଥା ହେଉଛି ଋଷରୁ ଭାରତକୁ ଆସୁଥିବା ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ ବିଳମ୍ବରେ ଆସିବାର ସମ୍ଭାବନା ସୃଷ୍ଟି ହୋଇଛି। କିନ୍ତୁ, ଏଭଳି କିଛି ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବରେ ଏଡ଼ାଇ ଦେଇଛନ୍ତି ଡେନିସ୍। ତାଙ୍କ କହିବା ଅନୁଯାଇ ଭାରତକୁ ଏସ-୪୦୦ ଡେଲିଭରିରେ କୌଣସି ଅସୁବିଧା ହେବନାହିଁ। ୟୁକ୍ରେନ ସହିତ ଯୁଦ୍ଧର ଏହି ଡେଲିଭେରୀ ଉପରେ କୌଣସି ପ୍ରଭାବ ପଡିବନାହିଁ ଏବଂ ଏସ-୪୦୦ ସଠିକ ସମୟରେ ଭାରତ ପହଞ୍ଚିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।