ଯୁଦ୍ଧ ପରେ ୟୁକ୍ରେନବାସୀଙ୍କ ପାଇଁ ପୁଟିନଙ୍କ ଭୟଙ୍କର ରଣନୀତି, କହିଲେ ସବୁ ୟୁକ୍ରେନ ଲୋକଙ୍କୁ...

ଦୀର୍ଘ ୧୨ ଦିନ ହେବ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଛି ଯୁଦ୍ଧ। ଥମିବା ବଦଳରେ ଉଭୟ ରାଷ୍ଟ୍ର ମଧ୍ୟରେ ଏହି ଯୁଦ୍ଧ ଆହୁରି ତେଜିବାରେ ଲାଗିଛି। ଗୋଟିଏ ପଟେ ଋଷ ନିଜର ସାମରିକ ଶକ୍ତି ଉପରେ ନିର୍ଭର କରି ୟୁକ୍ରେନ ଉପରେ ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କରୁଥିବା ବେଳେ ୟୁକ୍ରେନ ଏହାର କଡା ମୁକାବିଲା କରୁଛି। କେବଳ ସୀମାରେ ସୈନିକ ନୁହେଁ ବରଂ ବିଭିନ୍ନ ସହରରେ ସାଧାରଣ ୟୁକ୍ରେନବାସୀ ମଧ୍ୟ ଋଷର କଡା ବିରୋଧ କରିଛନ୍ତି।
ଏଭଳି ପରିସ୍ଥିତିରେ ୟୁକ୍ରେନବାସୀଙ୍କୁ ଡରାଇବା ଏବଂ ସେମାନଙ୍କର ମନୋବଳ ଭାଙ୍ଗିବା ପାଇଁ ପୁଟିନ ଏକ ଭୟଙ୍କର ରଣନୀତି ଅପଣାଇଥିବା ଶୁଣିବାକୁ ମିଳୁଛି। ମିଳିଥିବା ସୂଚନା ଅନୁଯାଇ ଋଷ ସେନାକୁ ବିରୋଧ କରୁଥିବା ୟୁକ୍ରେନ ବାସୀଙ୍କୁ ସର୍ବସମ୍ମୁଖରେ ଫାଶି ଦେବାପାଇଁ ପୁଟିନ ଚିନ୍ତା କରୁଛନ୍ତି। ରୁଷର ଫେଡେରାଲ୍ ସିକ୍ୟୁରିଟି ସର୍ଭିସେସ୍ ଜନସାଧାରଣଙ୍କୁ ନିରାଶ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିପାରେ ବୋଲି ଲିକ୍ ହୋଇଥିବା ଏକ ଦଲିଲରୁ ଜଣାପଡ଼ିଛି।
ଏଭଳି ନିଷ୍ପତ୍ତି ନେବା ପଛରେ ଲୋକଙ୍କୁ ଡ଼ରାଇବା ହିଁ ଋଷର ମୂଳ ଉଦେଶ୍ୟ ବୋଲି ଜଣେ ଅଜ୍ଞାତ ଇଉରୋପୀୟ ଗୁପ୍ତଚର ଅଧିକାରୀ ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୧୨ ଦିନ ହେବ ଚାଲିଥିବା ଯୁଦ୍ଧରେ ୟୁକ୍ରେନର କିଭ୍ ଭଳି ଅନେକ ସହର ବିପର୍ଯ୍ୟସ୍ତ ହୋଇପଡିଛି। ଖେରସାନ ସହରକୁ ଋଷ ସମ୍ପୂର୍ଣ୍ଣ ଭାବରେ ନିଜ ଅକ୍ତିଆରକୁ ନେଇଥିବା ବେଳେ ବନ୍ଦର ସହର ମାରିଆପୋଲ ଉପରେ ଲଗାତାର ବୋମାମାଡ଼ କରାଯାଉଛି।