ସୁପ୍ରିମକୋର୍ଟରେ ନୂପୁର ଶର୍ମାଙ୍କ ଅଭିଯୋଗ, କହିଲେ ମୋ ଜୀବନ ବିପଦରେ, ମୋତେ ବଳାତ୍କାର କରିବାକୁ...

 
Nupur sharma

ପ୍ରଫେଟ୍ ମହମ୍ମଦଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ବେସ୍ ଅଡୁଆରେ ପଡିଯାଇଛନ୍ତି ଭାରତୀୟ ଜନତା ପାର୍ଟିର ପୂର୍ବତନ ମୁଖପାତ୍ର ନୂପୁର୍ ଶର୍ମା। ତାଙ୍କ ଉପରେ ମୋଟ ୯ଟି ମାମଲା ରୁଜୁ କରାଯାଇଥିବା ବେଳେ ଗିରଫଦାରୀ ରୋକିବା ପାଇଁ ପୁଣିଥରେ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ନୂପୁର। ତାଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି ଏବଂ ତାଙ୍କୁ ବଳାତ୍କାର ଧମକ ଦିଆଯାଉଛି ବୋଲି ନୂପୁର ଶର୍ମା ସୁପ୍ରିମକୋର୍ଟରେ ଏକ ସାନି ପିଟିସନ ଦାଖଲ କରିଛନ୍ତି।

Nupur sharma

ଏହା ପୂର୍ବରୁ ଦେଶବ୍ୟାପୀ ତାଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ୯ଟି ମାମଲାକୁ ଦିଲ୍ଲୀ ଥରେ ଦାଖଲ ହୋଇଥିବା ପ୍ରଥମ ମାମଲା ସହିତ ସଂଯୁକ୍ତ କରାଯାଉ ବୋଲି ନୂପୁର ଆବେଦନ କରିଥିଲେ। ତେବେ, ସୁପ୍ରିମକୋର୍ଟ ତାଙ୍କୁ ଏଥିପାଇଁ କଡା ସମାଲୋଚନା କରିଥିଲେ। କେବଳ ଜଣେ ମହିଳାଙ୍କ ପାଇଁ ଆଜି ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି ଏବଂ ପରିବେଶ ବିଗିଡି ଯାଇଛି ବୋଲି ସୁପ୍ରିମକୋର୍ଟ କହିଥିଲେ।

Supreme court

 ମାନ୍ୟବର ସୁପ୍ରିମକୋର୍ଟଙ୍କ ଏପରି ମନ୍ତବ୍ୟ ପରେ ନୂପୁର ନିଜ ଆବେଦନ ପ୍ରତ୍ୟାହାର କରିନେଇଥିଲେ। ତେବେ, ଏବେ ତାଙ୍କ ଜୀବନ ଉପରେ ବିପଦ ଥିବା ଏବଂ ବଳାତ୍କାର କରାଯିବା ପାଇଁ ଧମକ ଆସୁଥିବା ଦର୍ଶାଇ ନୂପୁର ପୁଣି ଥରେ ସୁପ୍ରିମକୋର୍ଟଙ୍କ ପାଖରେ ପିଟିସନ ଦାୟର କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜ୍ଞାନବାପି ମସ୍‌ଜିଦ୍ ମାମଲାରେ ଏକ ଟେଲିଭିଜନ୍ ଚାନେଲ୍‌ରେ  ବିତର୍କ ଚାଲିଥିବା ବେଳେ ବିଜେପିର ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ସଂକ୍ରାନ୍ତରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହୋଇଥିଲେ।