ଗରିବଙ୍କ ଭାତହାଣ୍ଡି ଉପରେ ମହଙ୍ଗା ମାଡ଼! ଟଙ୍କିକିଆ ଚାଉଳ ରାନ୍ଧିବା ପାଇଁ କିଣିବାକୁ ପଡୁଛି ୬୬ ଟଙ୍କିଆ କିରୋସିନ, ଜାଣନ୍ତୁ ପୂରା ଖବର

 
Kerosene

କରୋନା ପରେ ଏବେ ଲୋକଙ୍କ ଉପରେ ପଡ଼ିଛି ମହଙ୍ଗା ମାଡ଼। ରାଜ୍ୟରେ ମଧ୍ୟ ଏହା ଅନୁଭୂତ ହେଉଥିବା ବେଳେ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକଙ୍କ ପାଇଁ ଏହା ଅଭିଶାପ ପରି ସାବ୍ୟସ୍ତ ହୋଇଛି। ଗୋଟିଏ ପଟେ ରାଜ୍ୟ ସରକାର ବିପିଏଲ କାର୍ଡ଼ଧାରୀଙ୍କ ପାଇଁ ଟଙ୍କିକିଆ ଚାଉଳ ପ୍ରଦାନ କରୁଥିବା ବେଳେ ଏହାକୁ ରାନ୍ଧିବା ପାଇଁ କିରୋସିନ ଲିଟର ପିଛା ୬୬ ଟଙ୍କାରେ ପହଞ୍ଚିଛି।

Kerosene

ଖାସ୍ କରି ୫ ରାଜ୍ୟର ନିର୍ବାଚନ ସମାପ୍ତ ହେବାପରେ ପେଟ୍ରୋଲ, ଡିଜେଲ, ଗ୍ୟାସ୍‌ ସହ କିରାସିନି ଦର ଆକାଶଛୁଆଁ ହୋଇଛି। ୨୦୧୯ ମସିହାରେ କିରୋସିନ ଲିଟର ପିଛା ୩୫ ଟଙ୍କା ରହିଥିଲା, ୨୦୨୦ ମସିହା ଲକଡାଉନ୍‌ ଯୋଗୁଁ ଦର ୧୨ଟଙ୍କାକୁ ହ୍ରାସ ପାଇଥିଲା। ୨୦୨୧ ମସିହାରେ ଏହା ପ୍ରାୟ ୩୫ ଟଙ୍କାକୁ ଫେରି ଆସିଥିଲା। କିନ୍ତୁ, ଆଗକୁ ଏହା ଅହେତୁକ ବୃଦ୍ଧି ପାଇ ୬୦ ଟଙ୍କା ୭୪ ପଇସାରେ ପହଞ୍ଚିଛି। ପିଡିଏସ୍‌ କେନ୍ଦ୍ର ବିକ୍ରେତା ଏହି ଦରରେ ହୋଲସେଲରଙ୍କ ଠାରୁ କିଣୁଥିଲେ ହେଁ ରିଟେଲରେ ଲିଟର ପିଛା ୬-୭ ଟଙ୍କା ଅଧିକରେ ବିକିଥାନ୍ତି।

Kerosene

ବାହାର ଦେଶରୁ କ୍ରୟ କରିବାଠାରୁ ସବ୍‌ସିଡି ପ୍ରଦାନ ଏବଂ ଯୋଗାଣ କେନ୍ଦ୍ର ସରକାର କରୁଥିବାରୁ ଦର କାହିଁକି ଏତେ ବୃଦ୍ଧି ପାଉଛି ସେଥିନେଇ କିଛି କହି ହେବନାହିଁ ବୋଲି ରାଜ୍ୟ ଯୋଗାଣ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ କହିଛନ୍ତି। ଏଭଳି ଭାବରେ କିରୋସିନର ଦର ବଢିଲେ ଖାଉଟିଙ୍କ ପାଇଁ ଆଗକୁ ପରିସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି।