ଯୁଦ୍ଧରେ ମଧ୍ୟସ୍ତି ସାଜିଲା ବେଲାରୁଷ, ରୁଷ ପ୍ରସ୍ତାବରେ ରାଜି ହେଲା ୟୁକ୍ରେନ୍‌, ଋଷ କହିଲା ଗୁଳି କରିବୁନି ହେଲେ...

 
Russia Ukraine

ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଦିନକୁ ଦିନ ଯୁଦ୍ଧର ବିଭୀଷିକା ବଢୁଥିବା ବେଳେ ଏହାରି ଭିତରେ ଶାନ୍ତି ସ୍ଥାପନାର ଆଶା ସଞ୍ଚାର ହୋଇଛି। ବେଲାରୁଷ ଠାରେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ରାଜି ହୋଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମର୍ ଜେଲେନେସ୍କି। ଗତକାଲି ବେଲାରୁଷ ସୀମାରେ ଚେରାନୋବ୍ଲି ଏକ୍ସକ୍ଲୁଜନ ଜୋନ୍‌ରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସମାପ୍ତ ହୋଇଛି। କିଛି ଦିନ ତଳେ ବେଲାରୁଷ ରାଷ୍ଟ୍ରପତି ଆଲେକ୍ସଜେଣ୍ଡାର ଲୁକାଶେନ୍‌କୋଙ୍କ ସହିତ ଫୋନ ଯୋଗେ କଥା ହେବା ପରେ ଜେଲେନେସ୍କି ଆଲୋଚନା ପାଇଁ ରାଜି ହୋଇଥିଲେ।

Peace talk

ପ୍ରତିନିଧି ଦଳଙ୍କର ବେଲାରୁଷ ଗସ୍ତ ସମୟରେ ସମସ୍ତ ପ୍ରକାର ପ୍ଲେନ, ହେଲିକପ୍ଟର, ମିସାଇଲ ଷ୍ଟେସନ ପକ୍ଷରୁ ଗତିବିଧି ବନ୍ଦ ରହିଥିଲା। ତେବେ, ମିଳିଥିବା ସୂଚନା ଅନୁଯାଇ ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ଉଭୟ ଦେଶର ପ୍ରତିନିଧି ଦଳ ସେମାନଙ୍କ ଦେଶର ରାଜଧାନୀକୁ ଫେରି ଯାଇଛନ୍ତି। କିଛି ଦିନ ମଧ୍ୟରେ ଦ୍ଵିତୀୟ ଆଲୋଚନା ହେବାର ସମ୍ଭାବନା ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଯୁଦ୍ଧ ରୋକିବା ପାଇଁ ଋଷ ପକ୍ଷରୁ ପ୍ରଚେଷ୍ଟା କରାଯାଇଥିଲା। ଋଷର ଏକ ପ୍ରତିନିଧି ଦଳ ଏଥିନେଇ ଆଲୋଚନା କରିବା ପାଇଁ ଆସିଥିଲେ ହେଁ ୟୁକ୍ରେନ ଶାନ୍ତି ଆଲୋଚନା ପାଇଁ ରାଜି ହୋଇନଥିଲା।

Peace talk

ୟୁକ୍ରେନ କହିବା ମୁତାବକ ସମ୍ପ୍ରତି ଯୁଦ୍ଧକାଳୀନ ପରିସ୍ଥିତି ସମୟରେ ବେଲାରୁଷ ପଟରୁ କୌଣସି ଏକ ଅଜ୍ଞାତ କ୍ଷେପଣାସ୍ତ୍ର ଘାଟିରୁ ଋଷ ଆକ୍ରମଣ କରୁଛି। ତେଣୁ, ପୂର୍ବରୁ ମଧ୍ୟ ବେଲାରୁଷରେ ଶାନ୍ତି ଆଲୋଚନା କଥା ଉଠିଥିଲେ ହେଁ ଏହାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମର୍ ଜେଲେନେସ୍କି ପ୍ରତ୍ୟାଖାନ କରିଥିଲେ। ପୋଲାଣ୍ଡ୍, ସ୍ଲୋଭାକିଆ, ହଙ୍ଗେରି, ତୁର୍କୀ କିମ୍ବା ଆଜରବାଇଜାନ୍ ରାଜଧାନୀରେ ଏହି ବୈଠକ ହେଉ ବୋଲି ଜେଲେନେସ୍କି ପ୍ରସ୍ତାବ ରଖିଥିଲେ ଯାହା ସମ୍ଭବ ହୋଇ ପାରିନଥିଲା। ଏଥର ବେଲାରୁଷ ପ୍ରତିନିଧି ଦଳଙ୍କର ସମ୍ପୂର୍ଣ୍ଣ ନିରାପତ୍ତାକୁ ନେଇ ଆଶ୍ୱାସନା ଦେବାପରେ ଏହି ବୈଠକ ଶାନ୍ତିପୂର୍ଣ୍ଣ ଭାବରେ ସମାପ୍ତ ହୋଇଛି।