୧୯୯୦ ମସିହା କାଶ୍ମୀରି ପଣ୍ଡିତଙ୍କ ଉପରେ ଆକ୍ରମଣକୁ ନେଇ ମୁହଁ ଖୋଲିଲେ ଫାରୁକ୍ ଅବଦୁଲ୍ଲା କହିଲେ, ସେ ଘଟଣା ପାଇଁ ମତେ...

ବକ୍ସ ଅଫିସରେ ରିଲିଜ୍ ହେବା ପରେ ପରେ ବେସ୍ ପ୍ରଶଂସା ସାଉଁଟିବାରେ ଲାଗିଛି ଚଳଚିତ୍ର ‘ଦ କାଶ୍ମୀର ଫାଇଲ୍ସ’। ୧୯୯୦ ମସିହାରେ କାଶ୍ମୀରି ପଣ୍ଡିତ ମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଏବଂ ନରସଂହାର ଉପରେ ଆଧାରିତ ଏହି ଚଳଚିତ୍ରକୁ ଲୋକେ ଖୁବ ପସନ୍ଦ କରିଛନ୍ତି। ତେବେ, ଏହି ଫିଲ୍ମ ରିଲିଜ୍ ହେବା ପରେ ୧୯୯୦ରେ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଥିବା ଫାରୁକ୍ ଅବଦୁଲ୍ଲାଙ୍କ କାର୍ଯ୍ୟକଳାପ ମଧ୍ୟ ଉପରେ ଅନେକ ଆଙ୍ଗୁଳି ଉଠିଛି।
୧୯୯୦ ମସିହାରେ କାଶ୍ମୀରରେ ଘଟିଥିବା ଏହି ବର୍ବର କାଣ୍ଡରେ ଫାରୁକ୍ ଅବଦୁଲ୍ଲାଙ୍କ ସମ୍ପୃକ୍ତି ଥିବା କୁହାଯାଉଥିବା ବେଳେ ସେ ଏହାକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି। ସେହି ସମୟରେ କାଶ୍ମୀରରେ ଯାହା ଘଟିଥିଲା ତାହା ବିଷୟରେ ଭାବିଲେ ତାଙ୍କର ହୃଦୟ କାନ୍ଦୁଛି ବୋଲି ଫାରୁକ୍ କହିଛନ୍ତି। କାଶ୍ମୀରି ପଣ୍ଡିତମାନେ ସେମାନଙ୍କ ଘରକୁ ଫେରି ଆସିଲେ ହିଁ କାଶ୍ମୀର ସମ୍ପୂର୍ଣ୍ଣ ହୋଇପାରିବ ବୋଲି ସେ ମତ ପୋଷଣ କରିଛନ୍ତି।
ଇଣ୍ଡିଆଟୁଡେକୁ ଦେଇଥିବା ସାକ୍ଷାତକାରରେ ସେ ଏଭଳି କହିଥିବା ବେଳେ ୧୯୯୦ ର ଘଟଣା ଏକ ବହୁତ ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି ମତ ପୋଷଣ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଏଥିପାଇଁ ସେ ସେତବେଳର କେନ୍ଦ୍ର ସରକାରଙ୍କୁ ମଧ୍ୟ ଦାୟୀ କରିଛନ୍ତି। ଏହି ବର୍ବର କାଣ୍ଡର ଷଡ଼ଯନ୍ତ୍ରକାରୀଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ପରାମର୍ଶ ଦେବା ସହିତ ତାଙ୍କର ଏଥିରେ ସମ୍ପୃକ୍ତି ଥିଲେ ମୋତେ ଫାଶି ଖୁଣ୍ଟରେ ଝୁଲାଇ ଦିଅ ବୋଲି ସେ କହିଛନ୍ତି।