ଏଣିକି UPI ପେମେଣ୍ଟ ଉପରେ ଲାଗିବ ଚାର୍ଜେସ୍? ଜାଣନ୍ତୁ, ଏଥିନେଇ କଣ ମତ ରଖିଲା ଅର୍ଥ ମନ୍ତ୍ରଣାଳୟ….
ଯେବେଠାରୁ ଭାରତରେ ଡିଜିଟାଲ ପେମେଣ୍ଟ ସିଷ୍ଟମ ଆରମ୍ଭ ହୋଇଛି ଏହାକୁ ଲୋକେ ଖୁବ ସହଜରେ ଗ୍ରହଣ କରି ନେଇଛନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ ଭାରତର ନିଜସ୍ୱ ଡିଜିଟାଲ ପେମେଣ୍ଟ ସିଷ୍ଟମ ୟୁପିଆଇ (UPI) ବେସ୍ ସଫଳ ସାବ୍ୟସ୍ତ ହୋଇଛି। ଏବେ ଅଧିକାଂଶ ଲୋକେ UPI ମାଧ୍ୟମରେ ପେମେଣ୍ଟ କରୁଥିବା ବେଳେ ଏହାକୁ ବ୍ୟବହାର କରିବା ସମ୍ପୂର୍ଣ୍ଣ ମାଗଣା ଅଟେ।
ତେବେ, ଆଗକୁ UPI ମାଧ୍ୟମରେ ପେମେଣ୍ଟ କରିବାକୁ ହେଲେ ଆପଣଙ୍କୁ ଏଥିପାଇଁ ଚାର୍ଜେସ୍ ଦେବାକୁ ପଡିପାରେ। ଏଥିପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପେମେଣ୍ଟ ସିଷ୍ଟମରେ ଚାର୍ଜ ଉପରେ ଆଲୋଚନା ପେପର ଜାରି କରିବା ସହିତ ଏଥିନେଇ ଲୋକମାନଙ୍କ ମତାମତ ଲୋଡ଼ିଛି। UPI ମଧ୍ୟ IMPS ପରି ଏକ ପାଣ୍ଠି ସ୍ଥାନାନ୍ତର ବ୍ୟବସ୍ଥା ହୋଇଥିବା ବେଳେ ଏହା ମଧ୍ୟ ଦେୟଯୁକ୍ତ ହେବା ଉଚିତ ବୋଲି ରିଜର୍ଭ ବ୍ୟାଙ୍କ ଯୁକ୍ତି ବାଢିଛି। ଏହାଦ୍ୱାରା ଆଦାୟ କରାଯିବାକୁ ଥିବା ଦେୟ ପେମେଣ୍ଟ ସିଷ୍ଟମ ଏବଂ ଏହାର ଭିତ୍ତିଭୂମିର ବିକାଶ ପାଇଁ ଖର୍ଚ୍ଚ କରାଯିବ ବୋଲି କୁହାଯାଉଛି।
କେବଳ ଯେ UPI ତାହା ନୁହେଁ ବରଂ ଡେବିଟ୍ କାର୍ଡ କାରବାର, RTGS, NEFT ଇତ୍ୟାଦି ପାଇଁ ଚାର୍ଜ ସମ୍ପର୍କରେ ଲୋକଙ୍କଠାରୁ ରିଜର୍ଭ ବ୍ୟାଙ୍କ ମତାମତ ଲୋଡିଛି। ବ୍ୟାଙ୍କ କହିବା ଅନୁଯାଇ ଆରଟିଜିଏସ୍ କ୍ଷେତ୍ରରେ ମଧ୍ୟ ଏକ ବିପୁଳ ପୁଞ୍ଜି ବିନିଯୋଗ କରାଯାଇଛି ଏବଂ ଏହାର ପରିଚାଳନା ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚ ହେଉଛି।
UPI is a digital public good with immense convenience for the public & productivity gains for the economy. There is no consideration in Govt to levy any charges for UPI services. The concerns of the service providers for cost recovery have to be met through other means. (1/2)
— Ministry of Finance (@FinMinIndia) August 21, 2022
ତେବେ, ଅର୍ଥ ମନ୍ତ୍ରଣାଲୟ ତରଫରୁ ଏଥିନେଇ ଏକ ଟ୍ୱିଟ କରାଯାଇଛି। ସରକାର ବର୍ତ୍ତମାନ ୟୁପିଆଇ ପେମେଣ୍ଟ ସର୍ଭିସ ଉପରେ କୌଣସି ପ୍ରକାର ଚାର୍ଜ ଲାଗୁ କରିବା ଉପରେ ବିଚାର କରୁ ନାହାଁନ୍ତି ବୋଲି ଏହି ଟ୍ୱିଟ ମାଧ୍ୟମରେ କୁହାଯାଇଛି। ତେବେ,ସର୍ଭିସ ପ୍ରୋଭାଇଡର୍ସଙ୍କ କଷ୍ଟ ରିକଭରୀ ପାଇଁ ଅନ୍ୟ ବିକଳ୍ପ ସହିତ ଏଥିପାଇଁ ସରକାରଙ୍କ ତରଫରୁ ସହାୟତା ଘୋଷଣା କରାଯିବ ବୋଲି ଏହି ଟ୍ୱିଟ ଯୋଗେ କୁହାଯାଇଛି।