ଦ୍ରୌପଦୀ ହେବେ ରାଷ୍ଟ୍ରପତି, ଗାଁକୁ ଆସିବ ଆଲୁଅ! ଚାହିଁ ରହିଛନ୍ତି ଗାଁ ଲୋକେ, ଦ୍ରୌପଦୀଙ୍କ ଗାଁ ରେ ନାହିଁ ବିଜୁଳି, ଜାଣନ୍ତୁ ପୂରା ଖବର

 
Draupadi

ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡ଼ିଏ ପକ୍ଷରୁ ଲଢ଼ିବେ ଓଡ଼ିଶାର ଶ୍ରୀମତି ଦ୍ରୌପଦୀ ମୁର୍ମୁ। ଦ୍ରୌପଦୀ ରାଷ୍ଟ୍ରପତି ପ୍ରାର୍ଥୀ ହେବାପରେ ଓଡ଼ିଶାରେ ଖୁସିର ଲହରୀ ଖେଳି ଯାଇଛି। କିନ୍ତୁ, ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଭାରତର ସମ୍ଭାବିତ ରାଷ୍ଟ୍ରପତିଙ୍କ ନିଜ ଗାଁର ଆଜି ପର୍ଯ୍ୟନ୍ତ ବିକାଶ ହୋଇ ପାରିନାହିଁ। ଏପରିକି ଏଠାରେ ଏପର୍ଯ୍ୟନ୍ତ ବିଜୁଳି ସେବା ମଧ୍ୟ ପହଞ୍ଚିନଥିବା ଜଣାଯାଇଛି।

Draupadi

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରୁ ୨୦ କିଲୋମିଟର ଯିବା ପରେ କୁସୁମି ବ୍ଲକରେ ପଡିବ ଉପରବେଡା ଡୁଙ୍ଗୁରିସାହି। ଏହିଠାରେ ହିଁ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ। ଦ୍ରୌପଦୀଙ୍କ ଘର ବ୍ୟତୀତ ଏହି ଗାଁରେ ଆହୁରି ୫୦ଟି ଘର ରହିଛି। ଏଠାକାର ପ୍ରାୟତଃ ଲୋକେ ଗରିବରେଖା ତଳେ ବସବାସ କରୁଥିବା ବେଳେ ଆଜିପର୍ଯ୍ୟନ୍ତ ଏଠାରେ ବିଜୁଳି ସେବା ପହଞ୍ଚି ପାରିନାହିଁ। ଏପରିକି ଦ୍ରୌପଦୀ ରାଷ୍ଟ୍ରପତି ନିର୍ବାଚନରେ ଠିଆ ହେବା କଥା ମଧ୍ୟ କିଛି ଲୋକେ ଜାଣନ୍ତି ନାହିଁ।

Village

ତାଙ୍କର ଜଣେ ସଂପର୍କୀୟ ବୋହୁ କହିଛନ୍ତି, ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଜାଣି ସେ ବହୁତ ଖୁସି। ଏଥିସହିତ ରାଷ୍ଟ୍ରପତି ହେବାପରେ ତାଙ୍କ ଜନ୍ମସ୍ଥାନର ବିକାଶ ହେବ ବୋଲି ସେମାନେ ଆଶା ବାନ୍ଧିଥିବା ଜଣାଇଛନ୍ତି। ପୂର୍ବରୁ ଅନେକ ନେତା ମନ୍ତ୍ରୀ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଗାଁକୁ ବିଜୁଳି ଆସିପାରିଲା ନାହିଁ ବୋଲି ସେ କ୍ଷୋଭର ସହିତ କହିଛନ୍ତି। ଅନ୍ୟପକ୍ଷରେ ଦ୍ରୌପଦୀ ମୁର୍ମୁ ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଭେଟିଥିବା ଜଣାଯାଇଛି।