ସାବଧାନ୍‌! ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ, ବାଜୁଛି ଆଲାର୍ମ, ଜାଣନ୍ତୁ କିଏ ଓ କାହିଁକି ଦେଉଛି ଏମିତି ସୂଚନା ?

 
Alert message

ଅଚାନକ ବାଜିଉଠୁଛି ମୋବାଇଲ। ପପ୍‌ଅପ୍‌ ମେସେଜ ଭାବରେ ମୋବାଇଲ ସ୍କ୍ରିନରେ ଆସୁଛି ହାଇଆଲର୍ଟ ମେସେଜ। ଘୁଁ ଘୁଁ କମ୍ପନ ସହ ଆଲର୍ଟ ମେସେଜରେ ଥରି ଯାଉଛି। ଫୋନ୍ ଚେକ୍ କଲା ବେଳକୁ ଦେଖୁଛନ୍ତି କି ଆଲର୍ଟ ମେସେଜ୍ ? ମେସେଜ୍ ପଢ଼ି ଲାଗୁଛି କି ଡର ? ହଠାତ ଏପରି ଆଲର୍ଟ ମେସେଜ ଦେଖି ଲୋକେ ଭୟଭୀତ ହେଇଯାଉଛନ୍ତି। ଡରିବାର ନାହିଁ, ଆପଣଙ୍କ ଫୋନ୍ ଠିକ୍ ଅଛି ସ୍ୱାଭାବିକ ଭାବେ ମଧ୍ୟ କାମ କରୁଛି। 

ସୂଚନା ମୁତାବକ, ଏହି 'ଏମର୍ଜେନ୍ସି ଆଲର୍ଟ' କେନ୍ଦ୍ର ସରକାରଙ୍କ ଟେଲିକମ ବିଭାଗ ଦ୍ୱାରା ପଠାଯାଉଛି। ବିପର୍ଯ୍ୟୟ ବେଳେ ଗୋଟିଏ କ୍ଲିକରେ ସବୁ ନାଗରିକଙ୍କ ପାଖରେ ସତର୍କ ସୂଚନା ପହଞ୍ଚାଇବା ପାଇଁ ସରକାର ଏପରି ଟ୍ରାଏଲ ଭିତ୍ତିରେ ମେସେଜ ପଠାଉଛନ୍ତି।ମେସେଜ୍ ଆସିବା ସମୟରେ ମୋବାଇଲ ଫୋନ୍ ଅଚାନକ ଭାଇବ୍ରେଟ ହେଉଛି। ଆଜି ସକାଳ ୧୧ଟା ୩୦ ସମୟରୁ ଲୋକଙ୍କ ମୋବାଇଲକୁ ଏହି ମେସେଜ ଆସୁଥିବା ଜଣାପଡ଼ିଛି।

Alert message

ମେସେଜରେ ଲେଖାଅଛି, 'ଏହା ହେଉଛି ଟେଲିକମ ବିଭାଗ, ଭାରତ ସରକାରଙ୍କ ଦ୍ୱାରା ସେଲ ବ୍ରୋଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ପଠାଯାଇଥିବା ଏକ ନମୂନା ପରୀକ୍ଷା ବାର୍ତ୍ତା। ଦୟାକରି ଏହି ସନ୍ଦେଶକୁ ଅଣଦେଖା କରନ୍ତୁ, କାରଣ ଏହା ଆପଣଙ୍କ ତରଫରୁ କୌଣସି ପଦକ୍ଷେପ ଆବଶ୍ୟକ କରେ ନାହିଁ। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଅଲ୍ ଇଣ୍ଡିଆ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ପରୀକ୍ଷା କରିବାକୁ ଏହି ବାର୍ତ୍ତା ପଠାଯାଇଛି। ଜନସାଧାରଣଙ୍କ ସୁରକ୍ଷାକୁ ବଢ଼ାଇବାକୁ ଏବଂ ଜରୁରୀକାଳୀନ ସମୟରେ ଠିକ୍ ସମୟରେ ସତର୍କ ସୂଚନା ପ୍ରଦାନ କରିବାକୁ ସିଷ୍ଟମ ଲକ୍ଷ୍ୟ ରଖିଛି।

ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ ସରକାର ଆଲର୍ଟ କରିବେ ବୋଲି ଘୋଷଣା କରାଯାଇଥିଲ। ମୋବାଇଲରେ ବାଜିବ ଏମର୍ଜେନ୍ସି ଆଲାରାମ। ଟେଲି ଯୋଗାଯୋଗ ବିଭାଗ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସେନେଇ ଟ୍ରାଏଲ ମଧ୍ୟ ଆରମ୍ଭ ହୋଇଥିଲା। 

ଏଥିପାଇଁ ଆପଣଙ୍କ ମୋବାଇଲକୁ ଆସିବ ଏମର୍ଜେନ୍ସି ଆଲର୍ଟ। ଆଲାର୍ମ ଭଳି ଶବ୍ଦ ସହ ଭାଇବ୍ରେସନ ବାଜି ଉଠିବ ଆପଣଙ୍କ ମୋବାଇଲରେ। ଏଥିସହ ମୋବାଇଲ ସ୍କ୍ରିନରେ ଏକ ଆଲର୍ଟ ଡିସ୍‌ପ୍ଲେ ମଧ୍ୟ ଆସିବ। ଏହାଦ୍ବାରା ଆପଣ ଜାଣିଯିବେ କି , କିଛି ଗୋଟେ ଅଘଟଣ ଆଗକୁ ଆସୁଛି।