ଯଦି ଆଜି ରିଜର୍ଭ ଡେ ରେ ବି ଭାରତ-ପାକିସ୍ତାନ ମ୍ୟାଚ ବାତିଲ୍ ହୁଏ ତେବେ କଣ ହେବ? ଜାଣନ୍ତୁ ପୁରା ସମୀକରଣ

କ୍ରମାଗତ ବର୍ଷା ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ରଣସିଂହ ପ୍ରେମଦାସା ଷ୍ଟାଡିୟମ୍ରେ ରବିବାର ଖେଳାଯାଉଥିବା ଏସିଆ କପ୍ର ସୁପର-୪ ମ୍ୟାଚ୍କୁ ଅଧାରୁ ସ୍ଥଗିତ ରଖାଯାଇଛି। ଏହି ମ୍ୟାଚ୍ର ବାକିଥିବା ଖେଳ ଆଜିଠାରୁ ଆରମ୍ଭ ହେବ। ଏଠାରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୪.୧ ଓଭର ବ୍ୟାଟିଂ କରି ୨ ୱିକେଟରେ ୧୪୭ ରନ୍ କରିଥିଲାବେଳେ ବର୍ଷା ଯୋଗୁ ଖେଳ ଆଉ ସମ୍ଭବ ହୋଇ ପାରି ନଥିଲା।
ଯଦି ବର୍ଷା ହେତୁ ମ୍ୟାଚ୍ ସମାପ୍ତ ନହୁଏ ତେବେ ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ଶ୍ରୀଲଙ୍କା ଏବଂ ବାଂଲାଦେଶକୁ ପରାସ୍ତ କରିବାକୁ ପଡିବ। ସୁପର ୪ ରାଉଣ୍ଡରେ ଶ୍ରୀଲଙ୍କା ଏବଂ ପାକିସ୍ତାନ ଗୋଟିଏ ଲେଖାଏଁ ଜିତିଛନ୍ତି। ଯଦି ବର୍ଷା ହେତୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ଧୋଇଯାଏ, ତେବେ ଭାରତ ଏକ ଅନିଶ୍ଚିତ ସ୍ଥିତିରେ ରହିବ ଏବଂ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ।
ସୋମବାରକୁ ଏହି ମ୍ୟାଚ୍ର ରିଜର୍ଭ ଦିବସ ରଖାଯାଇଥିବାରୁ ଏହି ଦିନ ଭାରତ ୨୪.୨ ଓଭରରୁ ଖେଳ ଆରମ୍ଭ କରିବ। ଏହା ଫଳରେ ମ୍ୟାଚ୍ ୫୦ ଓଭର ବିଶିଷ୍ଟ ହୋଇପାରିବ। ମଙ୍ଗଳବାର ଭାରତ ତାହାର ଦ୍ୱିତୀୟ ସୁପର-୪ ମ୍ୟାଚ୍ ଶ୍ରୀଲଙ୍କା ସହ ଖେଳିବାର କାର୍ଯ୍ୟକ୍ରମ ରହିଛି।