ଏଥର ଚାମ୍ପିୟନ୍ସ ଟ୍ରଫି ଖେଳିବେନି ଏହିସବୁ ବଡ଼ ଖେଳାଳିମାନେ, ଜାଣନ୍ତୁ କାହିଁକି ହୋଇଛନ୍ତି ଦଳରୁ ବାହାର୍
ଚାମ୍ପିୟନ୍ସ ଟ୍ରଫି ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟ ଡାଉନ । ଆଉ କିଛି ଦିନ ପରେ ଦେଖାଯିବ କ୍ରିକେଟ ଫିବର । ଲଢେଇ ପାଇଁ ମୈଦାନକୁ ଓହ୍ଲାଇବେ ବିଶ୍ବର ବଡ ବଡ ଦଳ । କିଏ ଜିତିବ ମ୍ୟାଚ ତାକୁ ନେଇ କଳ୍ପନା ଜଳ୍ପନା ବି ଆରମ୍ଭ ହୋଇଗଲାଣି । ଫେବୃଆରୀ ୧୯ ତାରିଖରେ ଆରମ୍ଭ ହେବାକୁ ଥିବା କ୍ରିକେଟର ଏହି ମହାସମର ପାକିସ୍ତାନରେ ହାଇବ୍ରିଡ ମଡେଲରେ ହେବାକୁ ଯାଉଛି ।
ବିଶ୍ୱର ଟପ୍ ୮ ଟିମକୁ ନେଇ ଚାମ୍ପିୟନ୍ସ ଟ୍ରଫି ଦିନିକିଆ ଫର୍ମାଟରେ ଖେଳାଯିବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ଆଇସିସିର ସମୟସୀମା ପୂର୍ବରୁ ସମସ୍ତ ୮ ଦଳ ସେମାନଙ୍କ ସ୍କ୍ୱାଡ ମଧ୍ୟ ଘୋଷଣା କରି ସାରିଛନ୍ତି। ହେଲେ ବହୁ ବଡ଼ ବଡ଼ ଖେଳାଳି ଏଥର ଦଳରୁ ବାଦ୍ ପଡିଛନ୍ତି। ସେ ଭାରତ ହେଉ କି ଅଷ୍ଟ୍ରେଲିଆ ଦଳ ସବୁ ଦେଶରୁ ବଡ଼ ବଡ଼ ଖେଳାଳି ଏଥର ଚାମ୍ପିୟନ୍ସ ଟ୍ରଫିରେ ଖେଳୁଥିବାର ଦେଖିବାକୁ ମିଳିବେନି।
ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତି ବିଭିନ୍ନ ଟିମର ସନ୍ତୁଳନକୁ ବିଗାଡ଼ି ଥିବା ବେଳେ ଫ୍ୟାନ୍ସ ମଧ୍ୟ ନିରାଶ ହେବେ। ସବୁଠାରୁ ଅଧିକ ପ୍ରଭାବିତ ହେବାକୁ ଥିବା ଦଳ ହେଉଛି ଅଷ୍ଟ୍ରେଲିଆ। କଙ୍ଗାରୁ ଟିମ ବ୍ୟତୀତ ଅନ୍ୟ ଦଳ ଗୁଡ଼ିକ ମଧ୍ୟ ସେମାନଙ୍କ ଷ୍ଟାର ଖେଳାଳିଙ୍କୁ ଚାମ୍ପିୟନ୍ସ ଟ୍ରଫିରେ ମିସ କରିବେ। ସେହିପରି ଷ୍ଟାର ଖେଳାଳିଙ୍କ ବଦଳରେ ସୁଯୋଗ ପାଇଥିବା ନୂଆ ପ୍ରତିଭାମାନେ କେମିତି ଶୂନ୍ୟସ୍ଥାନକୁ ପୂରଣ କରୁଛନ୍ତି, ତା’ ବି ଦେଖିବାର ଅଛି। ତେବେ ଆସନ୍ତୁ ଜାଣିବା ଚାମ୍ପିୟନ୍ସ ଟ୍ରଫିରେ କେଉଁମାନେ ନଜର ଆସିବେ ନାହିଁ?
ଭାରତରୁ ବଡ଼ ଖେଳାଳି ଯଶପ୍ରୀତ ବୁମ୍ରା ଏଥର ବାଦ୍ ପଡିଛନ୍ତି। ପିଠି ଜନିତ ସମସ୍ୟା ଯୋଗୁ ସେ ଚାମ୍ପିୟନ୍ସ ଟ୍ରଫିରେ ନଜର ଆସିବେ ନାହିଁ। ଇଂଲିଶ ଟିମର ଯୁବ ବ୍ୟାଟିଂ ଅଲରାଉଣ୍ଡର ଜ୍ୟାକବ ବେଥେଲ ଭାରତ ବିପକ୍ଷ ଦିନିକିଆ ସିରିଜରେ ଆହତ ହୋଇଥିଲେ। ସେ ମଧ୍ୟ ଦଳରୁ ବାହାର୍ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଦଳର ଦ୍ରୁତ ବୋଲିଂ ବାହିନୀ ନିଶ୍ଚିତ ଭାବେ ଚାମ୍ପିୟନ୍ସ ଟ୍ରଫିରେ ନୋର୍ଖିୟାଙ୍କ ଅନୁପସ୍ଥିତି ଅନୁଭବ କରିବ। ୨୦୨୩ରୁ ପିଠି ଯନ୍ତ୍ରଣା ଦେଇ ଗତି କରୁଥିବା ନୋର୍ଖିୟା ନିକଟରେ ଫିଟ ହୋଇଯାଇଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକା ଟି-୨୦ ପୂର୍ବରୁ ସେ ପୁଣି ଆହତ ହୋଇଥିଲେ।
ଭାରତରେ ଖେଳାଯାଇଥିବା ୨୦୨୩ ଦିନିକିଆ ବିଶ୍ୱକପରେ କୋଏଜି ନିଜର ବୋଲିଂ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ୨୪ ବର୍ଷୀୟ କୋଏଜି ଅଣ୍ଟା ଜନିତ ସମସ୍ୟାରେ ପଡ଼ି ଦଳରୁ ବାଦ୍ ପଡିଛନ୍ତି। ଚାମ୍ପିୟନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ତା’ର ପ୍ରଥମ ପସନ୍ଦର ପେସ୍ ଆଟାକ୍କୁ ମିସ କରିବ। ଅଧିନାୟକ ପାଟ କମିନ୍ସ ମଧ୍ୟ ଚାମ୍ପିୟନ୍ସ ଟ୍ରଫିରେ ନଜର ଆସିବେ ନାହିଁ। ଏହାଛଡା କଙ୍ଗାରୁ ଟିମର ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ବ୍ୟକ୍ତିଗତ କାରଣ ପାଇଁ ଚାମ୍ପିୟନ୍ସ ଟ୍ରଫିରୁ ନିଜ ନାଁ ପ୍ରତ୍ୟାହାର ନେଇଛନ୍ତି।
ଏହା ବ୍ୟତୀତ ଅଷ୍ଟ୍ରେଲିଆର ଜୋଶ ହାଜେଲଉଡ ମଧ୍ୟ ଆହତ କାରଣରୁ ଦଳରୁ ବାଦ୍ ପଡିଛନ୍ତି। ଲୋୟର ବ୍ୟାକ ପେନ୍ ଯୋଗୁ ଅଲରାଉଣ୍ଡର ମିଚେଲ ମାର୍ଶ ବେଶ କିଛି ମାସ ହେଲାଣି ଅଷ୍ଟ୍ରେଲିଆ ଟିମରୁ ଦୂରରେ ରହିଛନ୍ତି। କିଛି ଦିନ ତଳେ ଅଲରାଉଣ୍ଟର ଷ୍ଟୋଇନିସ ଅପ୍ରତ୍ୟାଶିତ ଢଙ୍ଗରେ କ୍ରିକେଟର ଦିନିକିଆ ଫର୍ମାଟକୁ ଅଲବିଦା କହିଥିଲେ।
ପାକିସ୍ଥାନର ସୈମ ଆୟୁବ ଫିଲ୍ଡିଂ କରିବା ବେଳେ ତାଙ୍କ ଗୋଡ଼ ମୋଡ଼ି ହେବାରୁ ସେ ମଧ୍ୟ ଦଳରୁ ବାଦ୍ ପଡିଛନ୍ତି। ଆଫଗାନିସ୍ତାନର ମୁଜିବ ଉର ରହମନ ତାଙ୍କ ଡାହାଣ ହାତର ମଝି ଆଙ୍ଗୁଠିରେ ସମସ୍ୟା ଦେଖାଯାଇଥିଲା। ଏଥିଯୋଗୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଛନ୍ତି। ଆଫଗାନିସ୍ତାନର ଅନ୍ୟ ଖେଳାଳି ଆଲ୍ଲା ଗଜନଫର ଗତ ବର୍ଷ ଡିସେମ୍ବର ମାସରେ ସେ ଜିମ୍ବାୱେ ବିପକ୍ଷ ସିରିଜ ବେଳେ ଆହତ ହୋଇଥିଲେ। ଏଯାଏ ସେ ଏଥିରୁ ମୁକୁଳି ପାରି ନଥିବାରୁ ତାଙ୍କୁ ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ଦେଖିବାକୁ ମିଳିବ ନାହିଁ।