ଟି-୨୦ ବିଶ୍ୱକପ ୨୦୨୧ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା ICC, ଭାରତ ଏହିସବୁ ଦେଶ ସହ ଖେଳିବ ମ୍ୟାଚ୍, ଦେଖନ୍ତୁ ପୂରା ଖେଳସୂଚୀ

 
Icc t20

ବହୁ କଳ୍ପନା ଜଳ୍ପନା ପରେ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି ଆଇସିସି। ପୂର୍ବରୁ ଭାରତରେ ଏହି କ୍ରିକେଟ ମହାକୁମ୍ଭ ଆୟୋଜନ ହେବାର ଥିବାବେଳେ ଦେଶରେ ବଢୁଥିବା କରୋନା ସଂକ୍ରମଣ ହେତୁ ଏହାକୁ ୟୁଏଇ ଏବଂ ଓମାନକୁ ସ୍ଥାନାନ୍ତରିତ କରାଯାଇଛି।

ମଙ୍ଗଳବାର ଆଇସିସି ଘୋଷଣା କରିଥିବା କାର୍ଯ୍ୟସୂଚୀ ଅନୁଯାଇ ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୭ ରୁ ଆରମ୍ଭ ହୋଇ ନଭେମ୍ବର ୧୪ ପର୍ଯ୍ୟନ୍ତ ଖେଳାଯିବ। ବଢୁଥିବା କରୋନା ସଂକ୍ରମଣ ହେତୁ ବିଶ୍ୱକପ ଭାରତରେ ଖେଳା ନ ଗଲେ ମଧ୍ୟ ୟୁଏଇରେ ବିସିସିଆଇ ହିଁ ଏହାର ଆୟୋଜନ କରିବ। ଆଇସିସି କହିବା ଅନୁଯାୟୀ, ଟି-୨୦ ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍ ୟୁଏଇ ଏବଂ ଓମାନର ୪ ଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମ, ଶାରଜା ଷ୍ଟାଡିୟମ ଏବଂ ଓମାନ କ୍ରିକେଟ୍ ଏକାଡେମୀ ଗ୍ରାଉଣ୍ଡ ଅନ୍ତର୍ଭୁକ୍ତ ରହିଛି।

ମିଳିଥିବା ସୂଚନା ଅନୁଯାଇ ଓମାନରେ କେବଳ ଯୋଗ୍ୟତା ପର୍ଯ୍ୟାୟର ମ୍ୟାଚ ଗୁଡିକ ଖେଳାଯିବ ଏବଂ ମୁଖ୍ୟ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ୟୁଏଇରେ ଅନୁଷ୍ଠିତ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷର ଆଇପିଏଲ ମଧ୍ୟ ସମାନ କାରଣରୁ ସ୍ଥଗିତ ରଖାଯାଇଥିଲା ଏବଂ ଏହାକୁ ସେପ୍ଟେମ୍ବର ମାସରେ ୟୁଏଇରେ ଆୟୋଜନ କରାଯିବ। ବିସିସିଆଇ ଉଭୟ ଟୁର୍ଣ୍ଣାମେଣ୍ଟ କୁ ସଫଳତାର ସହିତ ଆୟୋଜନ କରିବ ବୋଲି ଆଶାବାଦୀ ରହିଛି।