ଟେଷ୍ଟ ଚାମ୍ପିୟନସିପ୍ ହାରକୁ ନେଇ ଏହି ୨ ଖେଳାଳିଙ୍କ ଉପରେ ପ୍ରଶ୍ନ ଉଠାଇଲେ ସଚିନ୍, କହିଲେ ଏହି ଖେଳାଳି...

 
Sachin Tendulkar

ଇଂଲଣ୍ଡର ସାଉଥମ୍ପଟନ୍ ରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡ ଠାରୁ ଶୋଚନୀୟ ଭାବରେ ପରାସ୍ତ ହୋଇଛି। ବିଶ୍ୱର ଏକ ନମ୍ବର ଦଳ ଭାବରେ ଫାଇନାଲ୍ ରେ ପ୍ରବେଶ କରିଥିବା ଭାରତର ଏପରି ପ୍ରଦର୍ଶନକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ପ୍ରଶଂସକ। 

ତେବେ ଏହି ମ୍ୟାଚ ପରେ କ୍ରିକେଟ ପଣ୍ଡିତମାନେ ମଧ୍ୟ ଏନେଇ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରଛନ୍ତି ଏବଂ ଭାରତ ଏହି ମ୍ୟାଚରେ କରିଥିବା ଭୁଲ ବିଷୟରେ ସୂଚାଇ ଦେଇଛନ୍ତି। ଏହାରି ମଧ୍ୟରେ କ୍ରିକେଟର ଭଗବାନ କୁହାଯାଉଥିବା ମହାନତମ ବ୍ୟାଟ୍ସମାନ ସଚିନ ତେନ୍ଦୁଲକର ନିଜର ପ୍ରତିକ୍ରିୟା ରଖିଛନ୍ତି।

ନିଜର ପ୍ରତିକ୍ରିୟାରେ ସଚିନ ଭାରତର ଅଧିନାୟକ ବିରାଟ କୋହଲି ଏବଂ ଭାରତ ବ୍ୟାଟିଂ ବିଭାଗର ସ୍ତମ୍ଭ କୁହାଯାଉଥିବା ଚେତେଶ୍ୱର ପୂଜାରାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ମାତ୍ର ୨ ଓଭର ଭିତରେ ଏହି ଦୁଇ ବ୍ୟାଟ୍ସମାନଙ୍କ ୱିକେଟ ହରାଇବା ହିଁ ଭାରତକୁ ମହଙ୍ଗା ପଡିଥିଲା ଏବଂ ଏହା ହିଁ ପରାଜୟର ମୁଖ୍ୟ କାରଣ ବୋଲି ସେ କହିଛନ୍ତି।

ସଚିନ କହିଛନ୍ତି ଯେ,"ମୁଁ ପୂର୍ବରୁ କହିଥିଲି ଯେ ପ୍ରଥମ ୧୦ ଓଭର ମହତ୍ୱପୂର୍ଣ୍ଣ ହେବ। କିନ୍ତୁ ଭାରତ କୋହଲି ଓ ପୂଜାରାଙ୍କ ଭଳି ୱିକେଟ୍‌କୁ ମାତ୍ର ୧୦ ବଲ୍‌ର ବ୍ୟବଧାନରେ ହରାଇଲା। ଯାହାଫଳରେ ଟିମ୍ ଉପରେ ଅଧିକ ଚାପ ପଡ଼ିଗଲା ଓ ଟିମ୍ ଇଣ୍ଡିଆ ପରାଜୟ ବରଣ କରିଲା"।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମ୍ୟାଚର ୩୫ ତମ ଓଭରରେ କୋହଲି କାଇଲ୍ ଜେମିସନଙ୍କ ବଲରେ ଆଉଟ ହୋଇଥିଲେ ଏବଂ ୩୭ ତମ ଓଭରରେ ପୂଜାରା ମଧ୍ୟ ଜେମିସନଙ୍କ ବଲର ଶିକାର ହୋଇଥିଲେ। ଏହାପରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ମାତ୍ର ୧୭୦ ରନ୍ କରି ଅଲଆଉଟ ହୋଇଯାଇଥିଲା। ଏହାପରେ ଭାରତ ଦ୍ୱାରା ଦିଆଯାଇଥିବା ୧୩୯ ରନ୍ ର ଲକ୍ଷ୍ୟ କୁ ନ୍ୟୁଜିଲ୍ୟାଣ୍ଡ ମାତ୍ର ୨ ୱିକେଟ ହରାଇ ସହଜରେ ହାସଲ କରିନେଇଥିଲା।