ଏହି ବଡ଼ କାରଣରୁ ନ୍ୟୁଜିଲ୍ୟାଣ୍ଡ କଲା ପାକିସ୍ତାନ ସହ ସିରିଜ ରଦ୍ଧ, ଏହାପରେ ପାକିସ୍ତାନ ଭାରତକୁ ଦେଉଛି ଦୋଷ

 
Pakistani accuses bcci

ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଥିବା କ୍ରିକେଟ ସିରିଜ ରଦ୍ଧ ହୋଇଯାଇଛି। ପ୍ରଥମ ମ୍ୟାଚ ହେବାକୁ ଥିବାବେଳେ ଏହାର ମାତ୍ର କିଛି ଘଣ୍ଟା ପୂର୍ବରୁ ହିଁ ନ୍ୟୁଜିଲ୍ୟାଣ୍ଡ ଏହି କଠୋର ନିଷ୍ପତ୍ତି ନେଇଛି। ଖେଳାଳି ମାନଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ନ୍ୟୁଜିଲ୍ୟାଣ୍ଡ ଏଭଳି ନିଷ୍ପତ୍ତି ନେଇଥିବା କଥା ସ୍ପଷ୍ଟ କରିଛି। ଗୋଟିଏ ପଟେ ଆତଙ୍କବାଦୀ ସଂଘଠନର ଆକ୍ରମଣ ଭୟରେ ନ୍ୟୁଜିଲ୍ୟାଣ୍ଡ ଏହି ଗସ୍ତ ରଦ୍ଧ କରିଥିବା ବେଳେ ଏହାକୁ ପାକିସ୍ତାନବାସୀ ସହଜରେ ଗ୍ରହଣ କରିପାରି ନାହାନ୍ତି।

Pak vs nz

ସବୁବେଳେ ଆତଙ୍କବାଦକୁ ସମର୍ଥନ କରି ଆସୁଥିବା ପାକିସ୍ତାନ କିନ୍ତୁ ନିଜର ଭୁଲ ସ୍ୱୀକାର କରିବାକୁ ନାରାଜ୍। ନ୍ୟୁଜିଲ୍ୟାଣ୍ଡର ଏଭଳି ନିଷ୍ପତ୍ତି ପଛରେ ବିସିସିଆଇର ହାତ ଥିବା ପାକିସ୍ତାନୀ ମନେ କହୁଛନ୍ତି। ଏହି ସିରିଜ ରଦ୍ଧ ହେବାପରେ ପିସିବି ତରଫରୁ ଏକ ଟ୍ୱିଟ କରାଯାଇଥିଲା ଯାହାର କମେଣ୍ଟ ସେକ୍ସନରେ ପାକିସ୍ତାନୀ ସାମ୍ବାଦିକ ଫରୱା ମୁନିରଙ୍କ ସମେତ ଅନେକ ଲୋକ ଏହା ପଛରେ ଭାରତ ଏବଂ ବିସିସିଆଇକୁ ଦାୟୀ କରୁଥିବାର ଦେଖିବାକୁ ମିଳିଥିଲା।


ସେହିପରି ଆଉ ଜଣେ ପାକିସ୍ତାନୀ ସାମ୍ବାଦିକ ଫଜଲ ଅବ୍ବାସ ନ୍ୟୁଜିଲ୍ୟାଣ୍ଡ କ୍ରିକେଟକୁ ବିସିସିଆଇର ଚେଲା ବୋଲି କହିଛନ୍ତି। କେବଳ ଏତିକି ନୁହେଁ ନ୍ୟୁଜିଲ୍ୟାଣ୍ଡକୁ କ୍ରିକେଟରୁ ବାସନ୍ଦ କରିଦେବା ପାଇଁ ମଧ୍ୟ କହିଛନ୍ତି। ଏପରିକି ଅନେକ ପାକିସ୍ତାନୀ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ସହ ସମସ୍ତ ସମ୍ପର୍କ ଛିନ୍ନ କରିବା ପାଇଁ ପିସିବିକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆତଙ୍କବାଦୀ ଆକ୍ରମଣ ଏବଂ ଖାସ୍ କରି ଶ୍ରୀଲଙ୍କା ଦଳ ଉପରେ ହୋଇଥିବା ଆକ୍ରମଣ ପରେ ପରେ କୌଣସି ଦେଶ ସେମାନଙ୍କ ଦଳକୁ ପାକିସ୍ତାନ ପଠାଇବା ପାଇଁ ମଙ୍ଗୁ ନାହାଁନ୍ତି। ପୂର୍ବରୁ ମଧ୍ୟ ପାକିସ୍ତାନ ଗସ୍ତରେ ଆସିଥିବା ନ୍ୟୁଜିଲ୍ୟାଣ୍ଡ ଦଳ ଆକ୍ରମଣର ଶିକାର ହୋଇଛି। ୨୦୦୨ ମସିହାରେ ଏହି ଘଟଣା ଘଟିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଟିମ ରହିଥିବା ହୋଟେଲ ବାହାରେ ଏକ ବିସ୍ଫୋରଣ ହୋଇଥିଲା ଯେଉଁଥିରେ ୧୪ ଜଣ ନାଗରିକ ମୃତ୍ୟୁ ବରଣ କରିଥିଲେ। ସେଥିପାଇଁ ସେତେବେଳେ ନ୍ୟୁଜିଲ୍ୟାଣ୍ଡକୁ ସେହି ଗସ୍ତ ଛାଡ଼ି ଅଧାରୁ ଯିବାକୁ ପଡ଼ିଥିଲା।