ଆଇପିଏଲର ପିଛା ଛାଡ଼ୁନି କରୋନା! ଆଜି ମ୍ୟାଚ ପୂର୍ବରୁ ଷ୍ଟାର ଖେଳାଳି ହେଲେ କରୋନା ଆକ୍ରାନ୍ତ, ଜାଣନ୍ତୁ ପୂରା ଖବର

 
Natarajan

ଭାରତରେ ଚଳିତ ବର୍ଷର ଆଇପିଏଲ ସୁରୁଖୁରୁରେ ଚାଲିଥିବା ବେଳେ ବାଧକ ସାଜିଥିଲା କରୋନା। ତେଣୁ, ଏହାକୁ ସେତେବେଳେ ସ୍ଥଗିତ ରଖାଯାଇଥିଲା। ତେବେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ମାସଠାରୁ ୟୁଏଇ ଠାରେ ଆଇପିଏଲର ଦ୍ଵିତୀୟ ଚରଣ ଆରମ୍ଭ ହୋଇଛି। ଖେଳାଳିମାନେ ବାୟୋ-ବବଲ୍ ଭିତରେ ରହିଥିଲେ ହେଁ କ୍ରିକେଟର ପିଛା ଛାଡ଼ୁନି କରୋନା।

T. natarajan

ମିଳିଥିବା ସୂଚନା ଅନୁଯାଇ ସନରାଇଜର୍ସ ହାଇଦ୍ରାବାଦ ଟିମର ଷ୍ଟାର୍ ପେସ୍ ବୋଲର ଟି. ନଟରାଜନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଆର୍.ଟି.ପିସିଆର୍ ଟେଷ୍ଟରେ ପଜିଟିଭ ଆସିବା ପରେ ତାଙ୍କୁ ତୁରନ୍ତ ସଂଘରୋଧରେ ରଖାଯାଇଛି। ନଟରାଜନଙ୍କ ସହ ସଂସ୍ପର୍ଶରେ ଆସିଥିବା ୬ ଜଣ ଯାକ ସଦସ୍ୟଙ୍କୁ ମଧ୍ୟ ଆଇସୋଲେସନ୍ କରିଦିଆଯାଇଛି। ସେଥିମଧ୍ୟରେ ଖେଳାଳି ଅଲରାଉଣ୍ଡର ବିଜୟ ଶଙ୍କର ସାମିଲ୍‌ ଥିବା ବେଳେ ଟିମ୍ ମ୍ୟାନେଜର୍ ବିଜୟ କୁମାର, ଫିଜିଓ ଶ୍ୟାମ ସୁନ୍ଦର ଜେ, ଡାକ୍ତର ଅଞ୍ଜନା ଭନନ୍, ଲଜିଷ୍ଟିକ୍ସ ମ୍ୟାନେଜର୍ ତୁଷାର ଖେଡକର୍ ଓ ନେଟ୍ ବୋଲର ପେରିୟାସାମୀ ଗଣେଶନ୍ ସାମିଲ ରହିଛନ୍ତି।


ଆଜି ସକାଳ ୫ଟାରେ ଦଳର ସମସ୍ତ ସଦସ୍ୟ ମାନଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା, ଯେଉଁଥିରେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। ତେବେ ନଟରାଜନ କୋଭିଡ଼ ପଜିଟିଭ ବାହାରିବା ପରେ ଆଜି ଦୁବାଇରେ ଖେଳାଯିବାକୁଥିବା ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ, ଏହି ମ୍ୟାଚ ନିର୍ଦ୍ଧାରିତ ସମୟରେ ଖେଳାଯିବ ବୋଲି ବିସିସିଆଇ ସ୍ପଷ୍ଟ କରିଛି।