IND vs ENG: ଟେଷ୍ଟ ସିରିଜ୍ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ଜୋ ରୁଟ୍, କହିଲେ ଭାରତକୁ ୫-୦ ରେ ହରାଇ….

 
India vs england

ଭାରତୀୟ କ୍ରିକେଟ୍ ଦଳକ ଚଳିତ ମାସରେ ଇଂଲଣ୍ଡ ଗସ୍ତ କରିଛି ସେଠାରେ ପ୍ରଥମେ ଭାରତ  ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳିବ।  ଏହି ବଡ ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ ଆୟୋଜକ ଇଂଲଣ୍ଡ ବିପକ୍ଷରେ ଏକ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାର କାର୍ଯ୍ୟସୂଚୀ ମଧ୍ୟ ରହିଛି।

ତେବେ ଏହି ସିରିଜ଼ ଆରମ୍ଭ ହେବା ପୂର୍ବରୁ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଭାରତୀୟ ଦଳକୁ ଟାର୍ଗେଟ କରିଛନ୍ତି। ରୁଟ୍ ଦେଇଥିବା ଏହି ମନ୍ତବ୍ୟରେ କହିଛନ୍ତି ଯେ ଅଗଷ୍ଟ-ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ଏହି ଟେଷ୍ଟ ସିରିଜ଼ରେ ଇଂଲଣ୍ଡ ଭାରତ ବିପକ୍ଷରେ ସିରିଜ଼ ବିଜୟ ହାସଲ କରିବ। ଏଥିସହିତ ଭାରତ ବିପକ୍ଷ ସିରିଜ଼କୁ କ୍ଲିନ୍ ସୁଇପ୍ କରିଲେ ଆଗାମୀ ଡିସେମ୍ବର ୮ ତାରିଖରୁ ଆରମ୍ଭ ହେଉଥିବା ଆସେସ୍ ସିରିଜ଼ ପାଇଁ ଏହା ଏକ ଭଲ ଅଭ୍ୟାସ ହେବ ବୋଲି ସେ କହିଛନ୍ତି। 

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ପୂର୍ବରୁ ବ୍ରିଟିଶ ମିଡ଼ିଆକୁ ଦେଇଥିବା ଏକ ସାକ୍ଷାତକାର ରେ ସେ କହିଛନ୍ତି ଯେ, "ମୁଁ ଭାବୁଛି ଅଷ୍ଟ୍ରେଲିଆ ଯିବା ପୂର୍ବରୁ ସମସ୍ତ ସାତୋଟି ଟେଷ୍ଟ ମ୍ୟାଚ୍ ଜିତିବା ହେଉଛି ପ୍ରସ୍ତୁତି କରିବାର ସର୍ବୋତ୍ତମ ଉପାୟ ଏବଂ ଏହା ଆମ୍ଭକୁ ଅନେକ ଆତ୍ମବିଶ୍ୱାସ ଦେବ। ବର୍ତ୍ତମାନ ଦୁନିଆର ଦୁଇଟି ଶ୍ରେଷ୍ଠ ଦଳ ବିପକ୍ଷରେ ଖେଳିବା ଖେଳାଳିଙ୍କ ପାଇଁ ଏକ ବଡ଼ ସୁଯୋଗ ଅଟେ"।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟିମ୍ ଇଣ୍ଡିଆ ବର୍ତ୍ତମାନ ବହୁତ ଭଲ ଫର୍ମରେ ରହିଛି। ଏହି ବର୍ଷ ଆରମ୍ଭରେ ଭାରତ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ୨-୧ରେ ପରାସ୍ତ କରିଥିଲା। କେବଳ ଏତିକି ନୁହେଁ ଘରୋଇ ଟେଷ୍ଟ ସିରିଜରେ ଭାରତ ଇଂଲଣ୍ଡକୁ ମଧ୍ୟ ୩-୧ରେ ପରାସ୍ତ କରିଥିଲା। ତେବେ ଆଗାମୀ ସିରିଜ଼ ଇଂଲଣ୍ଡ ନିଜ ଘରୋଇ ମାଟିରେ ଖେଳୁଥିବାରୁ ସେ ନିଶ୍ଚିତ ଭାବରେ ଏହାର ଫାଇଦା ଉଠାଇବାକୁ ଚାହିଁବ।