T-20 WC: ପାକିସ୍ତାନର ବିଜୟରେ ଭାରତର ହେବ ଅଧିକ ଲାଭ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ ?

 
Pakistan win

ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ପରାସ୍ତ କରିଛି ପାକିସ୍ତାନ। ଚଳିତ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିବା ସହିତ ୧୦ ୱିକେଟରେ ଏହି ମ୍ୟାଚକୁ ଜିତିନେଇଛି ପାକିସ୍ତାନ। କେବଳ ଏତିକି ନୁହେଁ ନିଜର ଦ୍ଵିତୀୟ ଲିଗ୍ ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରିବା ସହିତ ନ୍ୟୁଜିଲ୍ୟାଣ୍ଡ ଭଳି ଶକ୍ତିଶାଳୀ ଦଳକୁ ସହଜରେ ପରାସ୍ତ କରିଛି ପାକିସ୍ତାନ ଦଳ।

Pakistan

ତେବେ, ଭାରତ ଏହାର ପ୍ରଥମ ମ୍ୟାଚ ହାରିଥିଲେ ହେଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପାକିସ୍ତାନ ଜିତିବା ପରେ ଭାରତ ଆସ୍ବସ୍ତି ଲାଭ କରିବ ନିଶ୍ଚିତ। ଦ୍ଵିତୀୟ ମ୍ୟାଚ ଜିତିବା ପରେ ପାକିସ୍ତାନର ସେମିଫାଇନାଲ ରାସ୍ତା ସହଜ ହୋଇଯାଇଥିବା ବେଳେ ଏବେ ଗ୍ରୁପ 'ବି'ରୁ କେଉଁ ଦେଶ ଦ୍ଵିତୀୟ ଦଳ ଭାବରେ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହେବ ତାହା ସ୍ପଷ୍ଟ ହୋଇପାରି ନାହିଁ। ଲଗାତାର ଦୁଇଟି ବିଜୟ ପରେ ପାକିସ୍ତାନର ଆଉ ତିନୋଟି ମ୍ୟାଚ ଆଫଗାନିସ୍ତାନ, ନାମ୍ବୀବିଆ ଏବଂ ସ୍କଟଲ୍ୟାଣ୍ଡ ବିପକ୍ଷରେ ଥିବାରୁ ଏହାର ସେମିଫାଇନାଲ ଯିବା ରାସ୍ତା ପ୍ରାୟତଃ ନିଶ୍ଚିତ ହୋଇସାରିଛି।

Virat

ଏବେ ନ୍ୟୁଜିଲ୍ୟାଣ୍ଡ ନିଜର ପ୍ରଥମ ମ୍ୟାଚ ହାରିଯିବା ପରେ ଭାରତ ପାଇଁ ଭଲ ସୁଯୋଗ ସୃଷ୍ଟି ହୋଇଛି। ଆଗାମୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଲେ ଭାରତର ସେମିଫାଇନାଲ ରାସ୍ତା ସହଜ ହୋଇଯିବ। ପୂର୍ବରୁ ଟି-୨୦ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ଏପର୍ଯ୍ୟନ୍ତ ଜିତିନଥିଲେ ହେଁ ଆଗକୁ ବଢିବାକୁ ହେଲେ ଭାରତକୁ ଏହି ଇତିହାସକୁ ବଦଳାଇବାକୁ ହେବ।