ଆଇପିଏଲ ପୁନଃ ଆରମ୍ଭ ହେବା ପୂର୍ବରୁ ଆସିଲା ନିରାଶଜନକ ଖବର, ଏହି କାରଣରୁ ଖେଳିପାରିବେନି ୩୦ ବିଦେଶୀ ଖେଳାଳି

 
Ipl

ଭାରତରେ କରୋନା ଭାଇରସର ଦ୍ୱିତୀୟ ଲହର ଏବଂ ବଢୁଥିବା ସଂକ୍ରମଣ ହେତୁ ମେ ପ୍ରଥମ ସପ୍ତାହରେ ଆଇପିଏଲ ୨୦୨୧ କୁ ସ୍ଥଗିତ ରଖାଯାଇଥିଲା। ତେବେ ବର୍ତ୍ତମାନ ଏହି ବଡ ଲିଗ୍ ପୁନଃ ଆରମ୍ଭ କରିବାକୁ ବିସିସିଆଇ ପ୍ରସ୍ତୁତି ଚଳାଇଛି। କିନ୍ତୁ ଏହି ଖବର ଆସିବାର କିଛି ଦିନ ଭିତରେ ହିଁ ଏହି ଟୁର୍ଣ୍ଣାମେଣ୍ଟ କୁ ନେଇ ଆଉ ଏକ ବଡ଼ ତଥ୍ୟ ସାମ୍ନା କୁ ଆସିଛି। ଆଇପିଏଲ କୁ ବିସିସିଆଇ ପୁନଃ ଆରମ୍ଭ କରୁଥିବା ବେଳେ ଏପରି ହେଲେ ଚଳିତ ବର୍ଷ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ଖେଳାଳିମାନଙ୍କୁ ଖେଳୁଥିବାର ଦେଖିବାକୁ ମିଳିବ ନାହିଁ।

ଚଳିତ ବର୍ଷ ପୁଣି ଥରେ ଅଇପିଏଲ ହେଲେ ଏଥିରେ ଇଂଲଣ୍ଡର କୌଣସି ଖେଳାଳି ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି) ସ୍ପଷ୍ଟ କରିସାରିଛି। ବାସ୍ତବରେ ଇଂଲଣ୍ଡ ଖେଳାଳିଙ୍କୁ ଆଇପିଏଲ ସମୟରେ ଆହୁରି ଅନେକ ସିରିଜରେ ଭାଗ ନେବାକୁ ପଡ଼ିବ ଏବଂ ତେଣୁ ସେମାନଙ୍କୁ ଆଇପିଏଲରେ ଖେଳିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛି (ଇସିବି)।

ଆଗାମୀ କିଛି ମାସ ପାଇଁ ଅଷ୍ଟ୍ରେଲୀୟ ଖେଳାଳିମାନେ ମଧ୍ୟ ବ୍ୟସ୍ତ ରହିଛନ୍ତି ବୋଲି ଜଣାପଡିଛି। ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ତିନିରୁ ଚାରିଟି ସିରିଜ୍ ଖେଳିବାକୁ ପଡିବ। ଅଷ୍ଟ୍ରେଲିଆକୁ ବାଂଲାଦେଶ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବାକୁ ପଡିବ। ଅତ୍ୟଧିକ କଠିନ କୋଭିଡ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲୀୟ ଖେଳାଳିମାନେ ଆଇପିଏଲରେ ଖେଳିବାକୁ ଅସମର୍ଥ ହେବେ ବୋଲି ଆଶା କରାଯାଉଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଇପିଏଲ୍ ୨୦୨୧ ସମୟରେ ଅଷ୍ଟ୍ରେଲିଆର ୧୮ ଜଣ ଏବଂ ଇଂଲଣ୍ଡର ୧୨ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ସେହି ଅନୁଯାୟୀ, ଯଦି ଆଇପିଏଲ୍ ପୁଣି ଆରମ୍ଭ ହୁଏ, ତେବେ ଉଭୟ ଦେଶର ମୋଟ ୩୦ ଖେଳାଳି ଖେଳି ପାରିବେ ନାହିଁ। ଆଇପିଏଲରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡର ଖେଳାଳିମାନଙ୍କର ବହୁତ ଭଲ ଚାହିଦା ରହିଥିବା ବେଳେ ଏମାନେ ନ ଖେଳିବା ଚଳିତ ବର୍ଷ ଏହି ବଡ଼ ଲିଗ୍ ର ପୁନଃଆରମ୍ଭ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।