ଚିଟିଙ୍ଗ କରି ଜିତିଲା କି ଅଷ୍ଟ୍ରେଲିଆ? ଜାଣନ୍ତୁ କାହିଁକି ଭୁଲ ଡିସିସନ ଦେଇ ଜୈସଓ୍ବାଲଙ୍କୁ ଆଉଟ କଲେ ଅମ୍ପାୟାର?

 
India Australia

ଭାରତ- ଅଷ୍ଟ୍ରେଲିଆ ମଧ୍ଯରେ ଖେଳାଯାଉଥିବା ମେଲବର୍ଣ୍ଣ ଟେଷ୍ଟ ପ୍ରଥମ ଦିନରୁ ଅନେକ ରୋମାଞ୍ଚ, ଉତ୍ଥାନ, ପତନ, ବାଦ-ବିବାଦ ଦେଇ ଶେଷରେ ହୋଇଛି। କଙ୍ଗାରୁ ଦଳ ସାମ୍ନାରେ ଧରାଶାୟୀ ହୋଇଛି ଭାରତ । ଫଳରେ ବର୍ଡର-ଗାଭାସ୍କର ଟ୍ରଫିରେ ଏବେ କଙ୍ଗାରୁ ୨-୧ ରେ ଅଗ୍ରଣୀ ହାସଲ କରିଛି । ଭାରତ ୧୮୪ ରନରେ ପରାସ୍ତ ହୋଇଛି ।

ତେବେ ଏହି ଟେଷ୍ଟରେ ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୈସଓ୍ବାଲଙ୍କ ଆଉଟ୍‌ ହେବାକୁ ନେଇ ବିବାଦ ଦେଖାଦେଇଛି। ଏହି ଖେଳାଳିଙ୍କୁ କ୍ୟାଚ୍‌ ଆଉଟ୍‌ ଦେବାକୁ ନେଇ ସୁନୀଲ ଗାଭାସ୍କର ରାଗରେ ନିଆଁବାଣ ହୋଇଛନ୍ତି। ସେ ଅମ୍ପାୟାରମାନଙ୍କ ଉପରେ ରାଗ ଶୁଝାଇଛନ୍ତି। କେବଳ ଏତିକି ନୁହେଁ ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକ ମଧ୍ୟ ଜୈସଓ୍ବାଲଙ୍କ ଆଉଟ୍‌କୁ ନେଇ ଖପ୍ପା ନଜର ଆସିଥିଲେ।

Jaiswal

ପୂରା ବିବାଦ ୭୧ତମ ଓଭରରେ ଦେଖିବାକୁ ମିଳିଥିଲା। ଜୈସୱାଲ ୮୪ ରନରେ ବ୍ୟାଟିଂ କରୁଥିଲେ। ସେ ପାଟ କମିନ୍ସଙ୍କ ବଲକୁ ପୁଲ ମାରିବାକୁ ଚେଷ୍ଟା କରିଥିଲେ ହେଁ ଏହା ଲେଗ ସାଇଡରେ ଯାଇ ୱିକେଟ କିପର ଆଲେକ୍ସ କେରୀଙ୍କ ଗ୍ଲୋବ୍ସରେ ପଡ଼ିଥିଲା। ବଲ ଯଶସ୍ୱୀଙ୍କ ଗ୍ଲୋବ୍ସରେ ବାଜିଥିବା ଭାବି କେରୀ ଓ କମିନ୍ସ ଜୋରଦାର ଅପିଲ କରିଥିଲେ।

ଅନ ଫିଲ୍ଡ ଅମ୍ପାୟାର ଜୁଏଲ ୱିଲସନ କିନ୍ତୁ ଆଉଟ ଦେଇ ନଥିଲେ। ତେବେ ଏହା ବିରୋଧରେ କମିନ୍ସ ଡିଆରଏସର ବ୍ୟବହାର କରିଥିଲେ। ଏହି ଠାରୁ ଆରମ୍ଭ ହୋଇଥିଲା ବିବାଦ। ଡିଆରଏସ ବଳରେ ବେଶ କିଛି ସମୟ ତୃତୀୟ ଅମ୍ପାୟାର ଚେକ କରିଥିଲେ। ଅଲ୍ଟ୍ରା ଏଡେଜରେ ଦେଖିବାକୁ ମିଳିଥିଲା ଯେ ବଲ ବ୍ୟାଟକୁ ଅତିକ୍ରମ କରିବା ବେଳେ କୌଣସି ସ୍ପାଇକ ଦେଖାଯାଇ ନଥିଲା।

Jaiswal wicket

ତଥାପି ତୃତୀୟ ଅମ୍ପାୟାର ଶର୍ଫୁଦୌଲା ସୈକତ ଭିଜୁଆଲ ପ୍ରମାଣ ଆଧାରରେ ଜୈସୱାଲଙ୍କୁ ଆଉଟ ଘୋଷଣା କରିଥିଲେ। ବଲ ବ୍ୟାଟ ଅତିକ୍ରମ କରିବା ବେଳେ ଡିଫ୍ଲେକ୍ଟ ବା ସାମାନ୍ୟ ଦିଗ ବଦଳାଇ ଥିବାରୁ, ସେହି ଆଧାରରେ ସୈକତ ନିଜର ନିଷ୍ପତ୍ତି ନେଇଥିଲେ।

ତେବେ ଚଳିତ ବର୍ଷ ବାଂଲାଦେଶର ପ୍ରଥମ ଅମ୍ପାୟାର ଭାବେ ସୈକତଙ୍କୁ ଆଇସିସିର ଏଲିଡି ଅମ୍ପାୟାର ପ୍ୟାନେଲରେ ସାମିଲ କରାଯାଇଥିଲା। ଦକ୍ଷିଣ ଆଫ୍ରିକାର ମରିସ ଏରାସମସ ଅବସର ନେବାରୁ ତାଙ୍କ ସ୍ଥାନରେ ୪୮ ବର୍ଷୀୟ ସୈକତଙ୍କୁ ସାମିଲ କରାଯାଇଥିଲା। ସେ ଏବେ ଆଇସିସିର ପ୍ୟାନେଲ ଅମ୍ପାୟାର ଭାବେ କାମ କରୁଛନ୍ତି।