ସ୍ୱାମୀର ମୃତ୍ୟୁ ଖବର ଶୁଣି ସହିପାରିଲେନି, ଘରେ ଶବ ନ ପହଞ୍ଚୁଣୁ ଫାଶିରେ ଝୁଲି ପଡିଲା ସ୍ତ୍ରୀ, ପୁରା ଘଟଣା ଜାଣି ହେବେ ଦୁଃଖିତ

 
Swami stree

ବାହା ବେଦୀରେ ସାତ ଜନମ ପାଇଁ ଯାହା ହାତ ଧରିଥିଲେ,ଜୀବନର ଅଧା ରାସ୍ତାରେ ଛାଡ଼ି ଆରପାରି କୁ ଚାଲିଗଲେ ସେ,ଏଭଳି ପରିସ୍ଥିତିରେ ବଞ୍ଚିବାର ମୋହ ହରାଇ ସ୍ୱାମୀର ମୃତ୍ୟୁ ଖବର ଶୁଣୁ ଶୁଣୁ ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। କେନ୍ଦ୍ରାପଡ଼ା ରାଜକନିକା ଅନ୍ତର୍ଗତ ଚେରଣ୍ଟପଡ଼ା ଗାଁରେ ଘଟିଛି ଏହିପରି ଏକ ଦୁଃଖଦ ଘଟଣା।

ସମ୍ପୂର୍ଣ୍ଣ ଖବର ଅନୁଯାଇ କେନ୍ଦ୍ରାପଡ଼ା ରାଜକନିକା ଚେରଣ୍ଟପଡ଼ା ଗାଁର ମନୋଜ ତରାଇ ଡିଆର୍‌ଡିଏ ଅଧୀନରେ ଥିବା ଆର୍‌ଜିପିଏସ୍‌ ସ୍କିମ୍‌ରେ ଡିପିଏମ୍‌ ଭାବରେ ନିଯୁକ୍ତି ପାଇଥିଲେ। ପ୍ରତିଦିନ ପରି ମନୋଜ ଗତ ୨୫ ତାରିଖ ସଂଧ୍ୟାରେ କାମ ସାରି ଭଦ୍ରକରୁ ଘରକୁ ଫେରୁଥିବା ବେଳେ ଚାନ୍ଦବାଲିର ମହୁଲିଆ ଛକଠାରେ ଦୁର୍ଘଟଣାର ଶିକାର ହୋଇଥିଲେ।

ତେବେ ଘଟଣାସ୍ଥଳରେ ଗୁରୁତର ଆହତ ହୋଇଥିବା ମନୋଜଙ୍କୁ ପ୍ରଥମେ ରାଜକନିକା ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଏପରିକି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଗତକାଲି ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। 

ତେବେ ମନୋଜଙ୍କ ଶବ ଘରେ ନ ପହଞ୍ଚୁଣୁ ସ୍ତ୍ରୀ ସ୍ୱପ୍ନାରାଣୀ ତରାଇ ଆଜି ସକାଳ ପ୍ରାୟ ୧୧ଟା ୪୦ ମିନିଟ୍‌ରେ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସ୍ୱାମୀ ପରେ ପରେ ସ୍ତ୍ରୀର ଏପରି ଦୁଃଖଦ ମୃତ୍ୟୁରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସ୍ୱପ୍ନାରାଣୀ ଏବଂ ମନୋଜ ଗତ ଜାନୁଆରୀ ମାସରେ ବିବାହ କରିଥିଲେ। ତେବେ ଖବର ଅନୁଯାଇ ଉଭୟଙ୍କର ଶବ ବ୍ୟବଚ୍ଛେଦ ହେବା ପରେ ସେମାନଙ୍କର ଶବ ସତ୍କାର କରାଯିବ।