ପ୍ରେମ ବିବାହ ପାଇଁ ହଇରାଣ କରୁଥିଲେ ପୋଲିସ ଓ ବାପଘର ଲୋକେ, ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଲେ ଯୁବତୀ, କହିଲେ ନବୀନ୍ ସାର୍...

 
Woman request cm against police

ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକଙ୍କୁ ହଇରାଣ କରୁଛି ପୋଲିସ। ବାପ ଘର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ବାରମ୍ବାର ହଇରାଣ କରୁଥିବାରୁ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଭିଡ଼ିଓ ଜରିଆରେ ସାହାଯ୍ୟ ମାଗିଛନ୍ତି ବିବାହିତା ମହିଳା। ଏହି ଭିଡ଼ିଓ ଭାଇରାଲ ହେବାପରେ ସମଗ୍ର ଯାଜପୁର ଜିଲ୍ଲାରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ପୁରା ଘଟଣା ମୁତାବକ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଇଦଗାହା ମୋହଲ୍ଲାରେ ରୁହନ୍ତି ଏମଡି ଅସଗର ଏବଂ ତାଙ୍କ ଝିଅ ବବି ଫିର୍ଦୋଶ ବାନୋ(୨୪)। ବବି ସ୍କୁଲରେ ପଢିବା ସମୟରୁ ତାଙ୍କର ନିଜ ସହପାଠୀ ତଥା ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ସୟଦପୁର ପଞ୍ଚାୟତ ପଠାନମୋହଲ୍ଲାର ଲ୍ୟାକତ୍ ଅଲ୍ଲି ଖାନଙ୍କ ପୁଅ ଜାଓ୍ଵେଦ ଇକବାଲ(୨୯)ଙ୍କୁ ଭଲପାଇ ବସିଥିଲେ।

କିନ୍ତୁ ଅସଗରଙ୍କୁ ଏହା ପସନ୍ଦ ନ ଆସିବାରୁ ସେ ପାଠ ପଢ଼ା ସରିବା ପରେ ବାନୋଙ୍କୁ ଜାଓ୍ଵେଦଙ୍କଠାରୁ ଅଲଗା ରଖିବାପାଇଁ କଲିକତା ସ୍ଥିତ ତାଙ୍କ ମାମୁ ଘରକୁ ପଠାଇ ଦେଇଥିଲେ। କିନ୍ତୁ ବାନୋ ଦୀର୍ଘ ଚାରିବର୍ଷ ପରେ ଓଡିଶା ଫେରି ଗତ ୨୩ ତାରିଖରେ ଜାଓ୍ଵେଦଙ୍କୁ ରୀତିନୀତି ଅନୁସାରେ ବିବାହ କରିଥିଲେ।

ଏହାପରେ ସେମାନେ ପୁଣି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପାଖରେ ୨୭ ତାରିଖରେ ରେଜେଷ୍ଟ୍ରି ବିବାହ କରିଥିଲେ। କିନ୍ତୁ ଗତ କିଛି ଦିନ ହେବ ବାନୋଙ୍କ ବାପା ଏବଂ ପରିବାରବର୍ଗ ବିଂଝାରପୁର ଥାନାରେ ଝିଅର ନିଖୋଜ ହେବାକୁ ନେଇ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ବାରମ୍ବାର ଜାଓ୍ଵେଦ ଏବଂ ତାଙ୍କ ପରିବାର ବର୍ଗଙ୍କୁ ହଇରାଣ କରୁଥିବା ନେଇ ଭିଡ଼ିଓରେ କହିଛନ୍ତି ବାନୋ।

କେବଳ ଏତିକି ନୁହେଁ ଜାଓ୍ଵେଦ ଲୁଚିଥିବା ଠିକଣା ସଂପର୍କରେ ଯିଏ ଜଣାଇବ ତାଙ୍କୁ ୧ଲକ୍ଷ ଟଙ୍କା ପୁରଷ୍କାର ଦିଆଯିବ ବୋଲି ବାନୋଙ୍କ ପରିବାର ଲୋକେ ଘୋଷଣା କରିଥିବା ନେଇ ସୂଚନା ମିଳିଥିବାରୁ ବର୍ତ୍ତମାନ ଜାଓ୍ଵେଦ ଏବଂ ତାଙ୍କ ପରିବାର ଉପରେ ବିପଦ ରହିଛି। ତେଣୁ ଆଉ କିଛି ଉପାୟ ନ ପାଇ ବାଧ୍ୟ ହୋଇ ବାନୋ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଏକ ଭିଡ଼ିଓ ଜରିଆରେ ସୁରକ୍ଷା ମାଗିଛନ୍ତି ଶ୍ରୀମତୀ ବାନୋ।