ଦେଖନ୍ତୁ ଭିଡ଼ିଓ: ବାତ୍ୟା ପ୍ରଭାବରେ ଓଡ଼ିଶାରେ ଦୃଶ୍ୟମାନ ହେଲା ବିରଳ "ଟର୍ଣ୍ଣାଡ଼ୋ", ଲୋକେ ହେଲେ ଭୟବିତ

 
Tornado

ଗତକାଲି ଓଡ଼ିଶା ଉପକୂଳ ଛୁଇଁଥିଲା ବାତ୍ୟା 'ୟାସ୍'। ପୂର୍ବାନୁମାନ ହିସାବରେ ଏହା "ଫଣି" କିମ୍ବା "ତାଉତେ" ପରି ଭୟଙ୍କର ହୋଇନଥିଲେ ମଧ୍ୟ ଓଡ଼ିଶାର କିଛି ଅଞ୍ଚଳରେ ଏହା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଓଡ଼ିଶାର କିଛି ଉପକୂଳବର୍ତ୍ତି ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ବନ୍ୟା ସମସ୍ୟା ଦେଖାଦେଇଛି, ସେହିପରି କେତେକ ଅଞ୍ଚଳରେ ଅନେକ ଗଛ ରାସ୍ତା ଉପରେ ପଡିବାରୁ ଯାତାୟତ କରିବାରେ ବାଧା ସୃଷ୍ଟି ହୋଇଛି।

ତେବେ ବାତ୍ୟା ହେଉଥିବା ସମୟରେ ପ୍ରକୃତିର ଏକ ବିରଳ ଦୃଶ୍ୟ ସାମ୍ନା କୁ ଆସିଥିଲା। ବାତ୍ୟା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଏକ ବିଶାଳ ଟର୍ଣ୍ଣାଡ଼ୋ ଅଥବା ଖଣ୍ଡିଆଭୂତ ଦୃଶ୍ୟମାନ ହୋଇଥିଲା। ଏପରି ଏକ ଦୃଶ୍ୟକୁ ଦେଖି ସ୍ଥାନୀୟ ଲୋକେ ବହୁତ ଡରି ଯାଇଥିଲେ। ଏହି ଭିଡିଓଟିକୁ ପିଆଇବି ଓଡ଼ିଶା ପକ୍ଷରୁ ସୋସିଆଲ ମିଡିଆରେ ଟ୍ୱିଟ୍‌ କରାଯାଇଥିଲା।


ଅନ୍ୟପକ୍ଷରେ ଗତକାଲି ଶିମିଳିପାଳ ଓ କରଞ୍ଜିଆରେ ପ୍ରବଳ ବର୍ଷା ଯୋଗୁ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବଢ଼ିଥିଲା। ସେଥିପାଇଁ ବୁଢ଼ାବଳଙ୍ଗ ଆଖପାଖରେ ରହୁଥିବା ଲୋକଙ୍କ ମନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଭୟ ସୃଷ୍ଟି ହୋଇଥିଲା। ମୟୂରଭଞ୍ଜ ଜିଲ୍ଲାରେ ଆଜି ମଧ୍ୟ ୟାସ୍ ର ପ୍ରଭାବରେ ଅଧିକ ମାତ୍ରାରେ ପବନ ବୋହିଥିଲା। ତେବେ, ଆଜି ବାତ୍ୟା ୟାସ୍ ବାତ୍ୟାରୁ ଅବପାତର ରୂପ ନେଇ ଝାରଖଣ୍ଡ ଆଡ଼କୁ ମୁହାଁଇଥିବା ସୂଚନା ମିଳିଛି।