ଭୁବନେଶ୍ବରରେ ଚିକିତ୍ସାର କରୁଣ ଚିତ୍ର, ୯ଟି ହସ୍ପିଟାଲ ବୁଲି ବେଡ୍ ନମିଳିବାରୁ ଆଖି ବୁଜିଲେ ନବବଧୂ, ପୂରା ଘଟଣା ଜାଣି ହେବେ ଦୁଃଖିତ

 
ଭୁବନେଶ୍ବରରେ ଚିକିତ୍ସାର କରୁଣ ଚିତ୍ର, ୯ଟି ହସ୍ପିଟାଲ ବୁଲି ବେଡ୍ ନମିଳିବାରୁ ଆଖି ବୁଜିଲେ ନବବଧୂ, ପୂରା ଘଟଣା ଜାଣି ହେବେ ଦୁଃଖିତ

ମାତ୍ର ୧୮ ଦିନ ତଳେ ହୋଇଥିଲା ବାହାଘର, ହାତରୁ ଲିଭିନଥିଲା ମେହେନ୍ଦୀ କିନ୍ତୁ କରୋନା ନେଇଗଲା ଜୀବନ। ଏହିଭଳି ଏକ ଅତ୍ୟନ୍ତ ଦୁଃଖଦ ଘଟଣାରେ, କରୋନା ରେ ପୀଡିତା ଜଣେ ନବ ବିବାହିତା ମହିଳା  କୌଣସି ଡାକ୍ତରଖାନାରେ ଭର୍ତ୍ତି ହେବାରେ ଅସମର୍ଥ ହେବାରୁ ଶେଷରେ ଆମ୍ବୁଲାନ୍ସ ରେ ହିଁ ମୃତ୍ୟୁବରଣ କରିଛନ୍ତି। ଏହିପରି ଘଟଣା ଘଟିଛି ଖୋଦ୍ ରାଜଧାନୀ ଉପକଣ୍ଠ ବାଲିପାଟଣା ପଞ୍ଚାୟତରେ।

ଖବର ମୁତାବକ ମୃତ ମହିଳା ଜଣକ ୨୫ ବର୍ଷୀୟା ସ୍ୱର୍ଣ୍ଣଲତା ପାଲ ବୋଲି ଜଣାପଡିଛି। ସେ ଖୋର୍ଧା ଜିଲ୍ଲାର କୁରୁଞ୍ଜିପୁର ପଞ୍ଚାୟତ ଅନ୍ତର୍ଗତ ଇନ୍ଦୋଲାକୁସିଆରୀ ଗାଁର ବିଷ୍ଣୁ ଚରଣ ଭୋଲଙ୍କୁ ଗତ ଏପ୍ରିଲ ୨୮ ତାରିଖରେ ବିବାହ କରିଥିଲେ।

ଏହି ଘଟଣା ମୁତାବକ କିଛି ଦିନ ପୂର୍ବରୁ ସେ ଜ୍ୱରରେ ପିଡ଼ିତ ଥିଲେ ଏବଂ ଘରେ ହିଁ ତାଙ୍କୁ ଔଷଧ ଦିଆଯାଇ ଚିକିତ୍ସା କରାଯାଉଥିଲା। ଗତକାଲି ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିବାରୁ ତାଙ୍କ ପରିବାର ସଦସ୍ୟ ତାଙ୍କୁ ବାଲିପାଟଣା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଏହା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ନେବାକୁ ପରାମର୍ଶ ଦିଆଯାଇଥିଲା।

କିନ୍ତୁ ପରିବାର ଲୋକେ ତାଙ୍କୁ କଟକ ନ ନେଇ ଭୁବନେଶ୍ୱରର ଆମ୍ରି, ଏମ୍ସ, ସମ୍ ଏବଂ ଅନ୍ୟ ଘରୋଇ ମେଡ଼ିକାଲ ବୁଲାଇ ଥିଲେ ମଧ୍ୟ କୌଣସି ମେଡ଼ିକାଲରେ ତାଙ୍କୁ ସ୍ଥାନ ମିଳିପାରି ନ ଥିଲା।

ଶେଷରେ ପ୍ରାୟ ୮ ଘଣ୍ଟା ଧରି ଆମ୍ବୁଲାନ୍ସ ରେ ବୁଲାଇ ବୁଲାଇ ଶେଷରେ ପୁଣି ବାଲିପାଟଣା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା। ସେଠାରେ ତାଙ୍କୁ ଚିକିତ୍ସା କରିବାକୁ ପରିବାର ଲୋକେ ଉପସ୍ଥିତ ଡାକ୍ତରଙ୍କୁ ବାଧ୍ୟ କରିଥିଲେ। କିନ୍ତୁ ସେତବେଳକୁ ମହିଳାଙ୍କ ଅକ୍ସିଜେନ ଲେବୁଲ୍ ମାତ୍ର ୨୬% କୁ ଖସିଯିବାରୁ ଡାକ୍ତର ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେବାକୁ କହିଥିଲେ। 

ଶେଷରେ ଏହି ମାମଲାରେ ପୋଲିସ ହସ୍ତକ୍ଷେପ କରିବା ପରେ ସ୍ୱର୍ଣ୍ଣଲତାଙ୍କୁ ପୁଣି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ କିନ୍ତୁ ତାଙ୍କୁ ଡାକ୍ତରଖାନାରେ ବେଡ଼ ମିଳିବା ପୂର୍ବରୁ ଆମ୍ବୁଲାନ୍ସ ରେ ହିଁ ତାଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା। ଖୋଦ୍ ରାଜଧାନୀରେ ଏତେ ବଡ଼ ବଡ଼ ଡାକ୍ତରଖାନା ଥାଉ ଥାଉ ମହିଳାଙ୍କ ଏପରି ଅବସ୍ଥାରେ ଆଇସିୟୁ ଶଯ୍ୟା ନ ମିଳିବା ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠାଇଛି।