ବିଶ୍ୱର ଶ୍ରେଷ୍ଠ ୨୫ମହିଳାଙ୍କ ଭିତରେ ସ୍ଥାନ ପାଇଲେ ଭାରତର ରେଡ଼ଲାଇଟ ଏରିଆର ଏହି ଝିଅ, ଜାଣନ୍ତୁ କେମିତି

 
Girl from redlight area

କୁହାଯାଏ ମଣିଷର ଅତୀତ ଯେତେ ଅନ୍ଧକାରମୟ ହୋଇଥିଲେ ମଧ୍ୟ କଡ଼ା ସଂକଳ୍ପ, ନିଷ୍ଠା ଏବଂ ପରିଶ୍ରମ କରିବା ଦ୍ୱାରା ସେ ନିଜ ଭବିଷ୍ୟତରେ ଯେ କୌଣସି ସଫଳତାକୁ ହାସଲ କରିପାରିଥାଏ। ଆଜି ଆମେ ଏହିପରି ଜଣେ ଯୁବତୀଙ୍କ ବିଷୟରେ ଜାଣିବା ଯାହାଙ୍କର ସଫଳତା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଯାଇଛି।

ମୁମ୍ବାଇର ଏକ ରେଡ଼ ଲାଇଟ ଏରିଆରେ ଜନ୍ମଗ୍ରହଣ କରିଥିବା ଶ୍ୱେତା କଟ୍ଟିଙ୍କର ମାତ୍ର ୧୮ ବର୍ଷ ବୟସରେ ଆମେରିକାର ସବୁଠାରୁ ଦାମୀ କଲେଜରେ ପଢ଼ିବାର ଯାତ୍ରା କଠିନ ହୋଇଥିଲେ ମଧ୍ୟ ବେସ୍ ପ୍ରେରଣାଦାୟକ ଅଟେ। ମୁମ୍ବାଇର କମାଠିପୁରା ଅଞ୍ଚଳରେ ଶ୍ୱେତା ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ମା ଏକ ଫ୍ୟାକ୍ଟ୍ରିରେ କାମ କରି ଅଣୁଥିବା ସ୍ୱଳ୍ପ ଦରମାରେ ପୁରା ପରିବାରର ଭରଣ ପୋଷଣ ହେଉଥିଲା।

ଗୋଟିଏ ପଟେ ମଦ୍ୟପ ବାପର ଅତ୍ୟାଚାର ଏବଂ ଗରିବ ରେଖା ତଳେ କଟିଥିଲା ଶ୍ୱେତାଙ୍କ ପିଲାଦିନ। ଏପରିକି ମାତ୍ର ୯ ବର୍ଷ ବୟସରେ ସେ ଶାରୀରିକ ଶୋଷଣର ଶିକାର ମଧ୍ୟ ହୋଇଥିଲେ। ଏଭଳି ଖରାପ ସମୟରେ ସାହାଯ୍ୟର ହାତ ବଢାଇଥିଲା କ୍ରାନ୍ତି ନାମକ ଏକ ଏନଜିଓ ସଂସ୍ଥା।

୨୦୧୨ ରେ ଏହି ସଂସ୍ଥା ସହ ଯୋଡି ହେବା ପରେ ଶ୍ୱେତାଙ୍କ ଜୀବନର ମୋଡ଼ ବଦଳି ଯାଇଥିଲା। ଏଥିସହିତ ନିଜର ପ୍ରବଳ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ସେ ସଫଳତାର ସିଢ଼ି ଚଢ଼ିବାକୁ ଲାଗିଥିଲେ। ତାଙ୍କର ଉଲ୍ଲେଖନୀୟ ପ୍ରୟାସ ଗୁଡିକ ପାଇଁ ଆମେରିକୀୟ ମ୍ୟାଗାଜିନ "ନ୍ୟୁଜୱିକ୍" ଶ୍ୱେତାଙ୍କୁ ଦୁନିଆର ଶ୍ରେଷ୍ଠ ୨୫ ପ୍ରେରଣାଦାୟକ ମହିଳାମାନଙ୍କ ଭିତରେ ସାମିଲ କରିଥିଲା।

କେବଳ ଏତିକି ନୁହେଁ ଶ୍ୱେତାଙ୍କ ସ୍ବପ୍ନ ସେତେବେଳେ ସାକାର ହୋଇଥିଲା ଯେବେ ତାଙ୍କର ସଫଳତା ଏବଂ ପ୍ରତିଭାକୁ ଲକ୍ଷ୍ୟ କରି ଆମେରିକାର "ବାର୍ଡ କଲେଜ"ରେ ତାଙ୍କୁ ପଢିବା ପାଇଁ ସୁଯୋଗ ମିଳିଥିଲା। କେବଳ ଏତିକି ନୁହେଁ ଏଠାରେ ପଢିବା ପାଇଁ କଲେଜ ତରଫରୁ ତାଙ୍କୁ ୨୮ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ସଫଳତା ପାଇଁ ଶ୍ୱେତା ଅନେକ ଗରିବ ଶ୍ରେଣୀର ପିଲାମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି।