ଓଡ଼ିଶାରେ କୋଭିଡ୍ ସଂକ୍ରମିତଙ୍କୁ ସାହାଯ୍ୟ ନେଇ ବିବାଦରେ ସୋନୁ, ଟ୍ୱିଟ୍ ପଛର ସତ କଣ? ସରକାର ନେବେ କାର୍ଯ୍ୟାନୁଷ୍ଠାନ? ଜାଣନ୍ତୁ

 
ଓଡ଼ିଶାରେ କୋଭିଡ୍ ସଂକ୍ରମିତଙ୍କୁ ସାହାଯ୍ୟ ନେଇ ବିବାଦରେ ସୋନୁ, ଟ୍ୱିଟ୍ ପଛର ସତ କଣ? ସରକାର ନେବେ କାର୍ଯ୍ୟାନୁଷ୍ଠାନ? ଜାଣନ୍ତୁ

ସାରା ଦେଶ ବର୍ତ୍ତମାନ କରୋନା ମହାମାରୀର ମୁକାବିଲା କରୁଥିବା ବେଳେ ଏପରି ବିପରୀତ ପରିସ୍ଥିତିରେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ନେଇ ଚର୍ଚ୍ଚା ରେ ରହିଛନ୍ତି ଅଭିନେତା ସୋନୁ ସୁଦ। କିନ୍ତୁ ତାଙ୍କ ଦ୍ୱାରା କରାଯାଇଥିବା ଏକ ପୋଷ୍ଟକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି। 

ସୋନୁ ଗଞ୍ଜାମ ଜିଲ୍ଲାର ଜଣେ କୋଭିଡ଼ ସଂକ୍ରମିତଙ୍କୁ ସାହାଯ୍ୟ କରିଥିବା ନେଇ ଟ୍ୱିଟରରେ ଏକ ପୋଷ୍ଟ କରିଥିଲେ। କିନ୍ତୁ ଏହି ପୋଷ୍ଟରେ ଦିଆ ଯାଇଥିବା ତଥ୍ୟ ଉପରେ ଆଙ୍ଗୁଳି ଉଠାଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଏଥିସହିତ ଗଞ୍ଜାମ ଜିଲ୍ଲାପାଳ ଏବଂ ସୋନୁଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟ୍ୱିଟର ଯୁଦ୍ଧ। 


ପୁରା ଘଟଣା ମୁତାବକ ଅଭିନେତା ସୋନୁ ସୁଦ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ସିଟି ହସ୍ପିଟାଲରେ ଜଣେ ସଂକ୍ରମିତଙ୍କ ପାଇଁ ଶଯ୍ୟାର ବନ୍ଦୋବସ୍ତ କରାଇ ଦେଇଥିବା ଦାବି କରିଥିଲେ। ତେବେ ଏଭଳି ଦାବିକୁ ଗଞ୍ଜାମ ଜିଲ୍ଲାପାଳ ଖଣ୍ଡନ କରିବା ସହ ସୋନୁଙ୍କ ପକ୍ଷରୁ କୌଣସି ଯୋଗାଯୋଗ ହୋଇନାହିଁ ଏବଂ ଜିଲ୍ଲା ଡାକ୍ତରଖାନାରେ ଶଯ୍ୟାର କୌଣସି ଅଭାବ ନଥିବା କଥା ସ୍ପଷ୍ଟ କରିଥିଲେ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ।

ତେବେ ଏହି ଘଟଣାକୁ ନେଇ ଟ୍ୱିଟର ରେ ଉଭୟଙ୍କ ମଧ୍ୟରେ ଏକ ପ୍ରକାର କଥା କଟାକାଟି ଆରମ୍ଭ ହୋଇଯାଇଥିଲା। ଏଠାରେ, ଉଲ୍ଲେଖଯୋଗ୍ୟ ଯେ ମେ ୧୫ ତାରିଖରେ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ସିଟି ହସ୍ପିଟାଲ୍‌ରେ ଜଣେ ସଂକ୍ରମିତଙ୍କୁ ସାହାଯ୍ୟର ହାତ ବଢାଇଥିବା କଥା ଟ୍ୱିଟର ରେ ପୋଷ୍ଟ କରିଥିଲେ ଅଭିନେତା ସୋନୁ ସୁଦ। 


ଏହି ପୋଷ୍ଟ ମୁତାବକ ପ୍ରଦୀପ ବେହେରା ନାମକ ଜଣେ ଯୁବକ ସୋନୁ ସୁଦ୍‌ଙ୍କୁ ଟ୍ୱିଟ୍‌ କରି ଜଣାଇଥିଲେ ଯେ, ତାଙ୍କ ସ୍ତ୍ରୀ କରୋନା ଆକ୍ରାନ୍ତ ଏବଂ କୌଣସି ଡାକ୍ତରଖାନାରେ ତାଙ୍କୁ ଶଯ୍ୟା ମିଳୁନଥିବାରୁ ସୁଦ ଫାଉଣ୍ଡେସନ ସାହାଯ୍ୟର ହାତ ବଢାଇଥିଲା। ତେବେ ବର୍ତ୍ତମାନ ଏହି ଟ୍ୱିଟ ଉପରେ ଅନେକ ପ୍ରଶ୍ନବାଚୀ ଉଠିଥିବା ବେଳେ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ତଥ୍ୟ ଦେଇଥିବାରୁ ସୋନୁଙ୍କ ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେତେକ ଲୋକେ ଦାବି ଦେଇଛନ୍ତି।