ଆୟକର ବିଭାଗ ଜାଲରେ ସୋନୁ ସୁଦ୍, 20 କୋଟି ଟଙ୍କାର ଟ୍ୟାକ୍ସ ଚୋରି କୁ ନେଇ ମୁହଁ ଖୋଲିଲେ ଅଭିନେତା, କହିଲେ ମୁ ତ କେବଳ ...

 
Sonu sood

ଲକଡ଼ାଉନ ସମୟରେ ସାଧାରଣ ଲୋକମାନଙ୍କ ପାଇଁ ଦେବଦୂତ ସାଜି ଆସିଥିବା ଅଭିନେତା ସୋନୁ ସୁଦଙ୍କ ଉପରେ ଆୟକର ବିଭାଗର ଆଖି ପଡ଼ିଛି। ଆୟକର ବିଭାଗ ତରଫରୁ ସୋନୁଙ୍କ ବାସଭବନ ସହିତ ୨୮ଟି ଭିନ୍ନ ଭିନ୍ନ ସ୍ଥାନ ଉପରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ପରେ ସୋନୁ କୋଟି କୋଟି ଟଙ୍କାର ଟିକସ ଫାଙ୍କିବା ସହିତ ତାଙ୍କ ପାଖରେ ଅମାପ ସମ୍ପତ୍ତିର ସନ୍ଧାନ ମିଳିଥିବା କୁହାଯାଉଛି।

Sonu

ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଥିବା ବେଳେ ଏହାକୁ ନେଇ ପ୍ରଥମ ଥର ପାଇଁ ସୋନୁ ମୁହଁ ଖୋଲିଛନ୍ତି। ସୋନୁ ଏକ ଟ୍ୱିଟର ପୋଷ୍ଟ ଜରିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି ଯେ," ସବୁବେଳେ କୌଣସି ଘଟଣାକୁ ନେଇ ନିଜ ପ୍ରତିକ୍ରିୟା ରଖିବା ଜରୁରୀ ନୁହେଁ, ସମୟ ଆସିଲେ ସବୁ ସତ କଥା ସାମ୍ନାକୁ ଆସିଯିବ"। ତାଙ୍କ ଘରୁ ଜବତ ହୋଇଥିବା ଅଧିକାଂଶ ଟଙ୍କା ଗରିବ ଏବଂ ଅଭାବୀ ଲୋକମାନଙ୍କର ସହାୟତା ପାଇଁ ରଖାଯାଇଥିଲା ବୋଲି ସୋନୁ କହିଛନ୍ତି। ଏଥିସହିତ ପ୍ରାୟ ୩-୪ ଦିନ ପର୍ଯ୍ୟନ୍ତ ବ୍ୟସ୍ତ ରହିବା ପରେ ସେ ପୁଣି ଲୋକମାନଙ୍କର ସହାୟତା କରିବାକୁ ପ୍ରସ୍ତୁତ ବୋଲି ସୋନୁ ସୂଚନା ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆୟକର ବିଭାଗ ତରଫରୁ ୨୮ ଟି ସ୍ଥାନ ଏବଂ ୬ ଟି ସହରରେ ଚଢ଼ାଉ କରାଯାଇଥିଲା। ସୋନୁ ସୁଦଙ୍କ ବିରୋଧରେ ଆଇଟି ବିଭାଗ ପ୍ରାୟ ୨୦ କୋଟି ଟଙ୍କା ଟିକସ ଫାଙ୍କିବାର ପ୍ରମାଣ ପାଇଛି। ବିଭାଗ ଅନୁଯାୟୀ, ନକଲି ଅସୁରକ୍ଷିତ ଋଣ ଏବଂ ସଂସ୍ଥା ଆକାରରେ ସୋନୁ ସୁଦଙ୍କ ପାଖରେ ଅମାପ ସମ୍ପତ୍ତି ରହିଛି। ବିଭାଗ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ମାର୍ଚ୍ଚ ୨୦୨୧ ପରଠାରୁ ସୋନୁ ସୁଦ ଫାଉଣ୍ଡେସନ ୧୮.୯୪ କୋଟି ଟଙ୍କା ଦାନ ସଂଗ୍ରହ କରିଛି, ସେଥିମଧ୍ୟରୁ କେବଳ ୧.୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅବଶିଷ୍ଟ ୧୭ କୋଟି ଟଙ୍କା ବେଆଇନ ବୋଲି ଜଣାପଡିଛି।