ସୁନ୍ଦର ଦେଖାଯିବା ପାଇଁ କରୁଥିବା ଏହି ସବୁ କାମ ପାଇଁ ଜୀବନ ବିପଦରେ ପଡୁଛି, କାହିଁକି କମ ବୟସରେ ଆସେ ହୃଦଘାତ ?

 
Heart attack

ଗୁରୁବାର ଦିନ ବିଗ୍ ବସ୍-୧୩ ର ବିଜେତା ତଥା ପ୍ରସିଦ୍ଧ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ହୃଦଘାତରେ ଆକସ୍ମିକ ମୃତ୍ୟୁ ଘଟିଛି। ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। କିନ୍ତୁ, ଯେଉଁ ଅଭିନେତା ନିଜ ଶରୀରକୁ ଫିଟ ରଖିବା ପାଇଁ ନିୟମିତ ୩ ଘଣ୍ଟା ବ୍ୟାୟାମ କରୁଥିଲେ। ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦେଉଥିଲେ ସେ ମାତ୍ର ୪୦ ବର୍ଷ ବୟସରେ କିପରି ହୃଦଘାତର ଶିକାର ହେଲେ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। କେବଳ ସିଦ୍ଧାର୍ଥ ନୁହେଁ ଦେଶର ଅନେକ ଯୁବପିଢ଼ି ହୃଦଘାତର ଶିକାର ହେଉଥିବା ଦେଖିବାକୁ ମିଳୁଛି ଯାହାକି ନିଶ୍ଚିତ ଭାବରେ ଏକ ଚିନ୍ତାର ବିଷୟ ଅଟେ।

Sidharth sukla

ଡାକ୍ତରଙ୍କ କହିବାନୁସାରେ, ବର୍ତ୍ତମାନ ୧୮ ରୁ ୨୦ ବର୍ଷର ଯୁବକମାନେ ମଧ୍ୟ ହୃଦଘାତର ଶିକାର ହେଉଛନ୍ତି। କାର୍ଡିଓଲୋଜି ସୋସାଇଟି ଅଫ୍ ଇଣ୍ଡିଆ ଦେଇଥିବା ରିପୋର୍ଟ ଅନୁଯାୟୀ, ୩୫ ରୁ ୫୦ ବର୍ଷ ବୟସର ୪ ଜଣ ବ୍ୟକ୍ତି ଭାରତରେ ପ୍ରତି ମିନିଟରେ ହୃଦଘାତରେ ଆକ୍ରାନ୍ତ ହୁଅନ୍ତି ଏବଂ ଭାରତରେ ହୃଦଘାତରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରୁ ୨୫ ପ୍ରତିଶତ ଲୋକଙ୍କ ବୟସ ୩୫ ବର୍ଷରୁ କମ୍ ଅଟେ।  ପୂର୍ବରୁ ହୃଦଘାତକୁ ବୟସ୍କ ବ୍ୟକ୍ତିଙ୍କ ରୋଗ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଯୁବକମାନେ ମଧ୍ୟ ଏହାର ଶିକାର ହେଉଛନ୍ତି।

Steroid

ଯେଉଁ ଯୁବପିଢ଼ିମାନେ ହୃଦଘାତର ଶିକାର ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ ଯୁବତୀ ଶାରୀରିକ କାର୍ଯ୍ୟ ଏବଂ ବ୍ୟାୟାମ କରିନଥାନ୍ତି। କିନ୍ତୁ, ଏପରି ମଧ୍ୟ କିଛି ଯୁବକ ଯୁବତୀ ରହିଛନ୍ତି ଯେଉଁମାନେ ସୁନ୍ଦର ଚେହେରାର ଅଧିକାରୀ ହେବା ପାଇଁ ଷ୍ଟେରଏଡ୍ ର ବ୍ୟବହାର କରିଥାନ୍ତି। ପରବର୍ତ୍ତୀ ସମୟରେ ଏହା ହିଁ ହୃଦଘାତର ପ୍ରମୁଖ କାରଣ ସାଜିଥାଏ।

Smoking

ଡାକ୍ତରମାନଙ୍କ କହିବା ଅନୁଯାଇ ସୁସ୍ଥ ରହିବା ପାଇଁ ଦିନକୁ ଜଣେ ବ୍ୟକ୍ତି ୨୦ ମିନିଟ ବ୍ୟାୟାମ କରିବା ଉଚିତ। କିନ୍ତୁ, କିଛି ବ୍ୟକ୍ତି  ଅଧିକ ଏବଂ ହାଇ-ଇଣ୍ଟେନ୍ସିଟି ବ୍ୟାୟାମ କରିଥାନ୍ତି ଯାହାଫଳରେ ସେମାନଙ୍କର ହାର୍ଟ ରେଟ୍ ବଢ଼ିଯାଇଥାଏ। ତେଣୁ, ଷ୍ଟେରଏଡ୍ ନେବା ସହ ହାଇ-ଇଣ୍ଟେନ୍ସିଟି ବ୍ୟାୟାମ କରୁଥିବା କିଛି ବ୍ୟକ୍ତିଙ୍କୁ ହୃଦଘାତର ଆଶଙ୍କା ରହିଥାଏ। ଏଥିସହିତ ନିୟମିତ ଧୂମ୍ରପାନ କରୁଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ହୃଦଘାତର ଆଶଙ୍କା ରହିଥାଏ। ତେବେ, ସିଦ୍ଧାର୍ଥ ଶୁକ୍ଳା ନିୟମିତ ଭାବରେ ଧୂମ୍ରପାନ କରୁଥିଲେ ବୋଲି ଲୋକେ ଦାବି କରିଛନ୍ତି।