ଶୀତଦିନ ପ୍ରେମୀଙ୍କ ପାଇଁ ଖରାପ ଖବର, ଆଉ କେତେ ଦିନ ଯାଏଁ ରାଜ୍ୟରେ ଥରାଇବ ଶୀତ? ବିଳମ୍ବରେ ଆସିଛି ମାତ୍ର….

 
Winter in odisha

ଚଳିତବର୍ଷ ରାଜ୍ୟରେ ପ୍ରାୟ ୧୫ ଦିନ ବିଳମ୍ବରେ ଶୀତ ଋତୁର ଆଗମନ ହୋଇଛି। ଗତ ଦୁଇ ତିନି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ବଢୁଥିବା ବେଳେ ପ୍ରାୟତଃ ସବୁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀଠାରୁ ତଳେ ରହୁଛି। ତେବେ, ବିଳମ୍ବରେ ଆସିଥିବା ଏହି ଶୀତ ଲହରୀ ରାଜ୍ୟରୁ ଶୀଘ୍ର ଚାଲିଯିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Winter

ପାଣିପାଗ ବିଜ୍ଞାନୀଙ୍କ ଦ୍ଵାରା କରାଯାଇଥିବା ଆକଳନ ଅନୁଯାଇ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ଶୀତ ଜାରି ରହିବ। ଏହି ସମୟ ମଧ୍ୟରେ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ କିମ୍ବା ତା ଠାରୁ କମ ରହିବ। ଚଳିତ ମାସ ୨୨ ତାରିଖ ପରଠାରୁ ରାଜ୍ୟରେ ଶୀତ ଲହରୀ କମିବା ସହିତ ତାପମାତ୍ରା ସ୍ୱଭାବିକ ହେବାକୁ ଲାଗିବ। ଏଥିସହିତ ଜାନୁଆରି ଏବଂ ଫେବୃଆରୀ ମାସରେ ସ୍ୱାଭାବିକ ଠାରୁ ତାପମାତ୍ରା ଅଧିକ ରହିବ ବୋଲି ଆକଳନ କରାଯାଉଛି।

Cold

ସାଧାରଣତଃ ରାଜ୍ୟରେ ଡିସେମ୍ବର, ଜାନୁଆରୀ ଓ ଫେବ୍ରୁଆରୀ ମାସକୁ ଶୀତ ଋତୁ ଭାବରେ ଗଣା ଯାଇଥାଏ। କିନ୍ତୁ, ଚଳିତବର୍ଷ ଡିସେମ୍ବର ପ୍ରଥମରୁ ଲଘୁଚାପ ବର୍ଷା, ବାତ୍ୟା ଓ ଟ୍ରଫ୍‌ଲାଇନ୍‌ ଯୋଗୁଁ ଶୀତ ଦିନ ସଂଖ୍ୟା ସହ ଶୀତ ପ୍ରକୋପ ମଧ୍ୟ କମ୍‌ ରହିଛି। ଏଭଳି ପରିସ୍ଥିତିରେ ଫେବ୍ରୁଆରୀ ଶେଷ ଆଡକୁ ତାପମାତ୍ରା ୩୯ ରୁ ୪୦ ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଅନୁମାନ କରାଯାଉଛି। ରାଜ୍ୟକୁ ପ୍ରବେଶ କରୁଥିବା ଉତ୍ତରା ପବନ ପ୍ରଭାବରେ ଆସନ୍ତା ୪ରୁ ୫ଦିନ ଯାଏ ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ସ୍ବାଭାବିକ ତାପମାତ୍ରାଠାରୁ ୩ରୁ ୪ ଡିଗ୍ରି କମ ରେକର୍ଡ଼ ହୋଇପାରେ ବୋଲି ଆକଳନ କରାଯାଇଛି।

Boon fire

ଏହି କିଛି ଦିନ ମଧ୍ୟରେ ରାଜ୍ୟରେ ସାଧାରଣ ତାପମାତ୍ରା ଠାରୁ ୩-୪ ଡିଗ୍ରୀ କମ୍ ତାପମାତ୍ରା ରେକର୍ଡ଼ କରାଯାଉଛି। ରାତ୍ରି ତାପମାତ୍ରା ଓ ସ୍ବାଭାବିକ ତାପମାତ୍ରା ମଧ୍ୟରେ ଚାନ୍ଦବାଲିଠାରେ ସର୍ବାଧିକ ୩.୪ ଡିଗ୍ରି, ଟିଟିଲାଗଡ଼ଠାରେ ୩.୧ ଡିଗ୍ରି, ଭୁବନେଶ୍ବରଠାରେ ୩.୦ ଡିଗ୍ରି, ଗୋପାଳପୁର ଓ ପାରାଦୀପଠାରେ ୨.୮ ଡିଗ୍ରି, ଝାରସୁଗୁଡ଼ାଠାରେ ୨.୭ ଡିଗ୍ରି ଓ କଟକଠାରେ ୨.୩ ଡିଗ୍ରି ଲେଖାଏ ବ୍ୟବଧାନ ରେକର୍ଡ଼ କରାଯାଇଛି। ତେବେ, ଦାରିଙ୍ଗବାଡିରେ ସର୍ବନିମ୍ନ ୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା। ଏପରିକି ଦ୍ୱେତନଗରୀ ଭୁବନେଶ୍ୱର ଏବଂ କଟକରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳକୁ ଖସିଯାଇଥିବା ଜଣାପଡ଼ିଛି। ଏହି ସବୁ ଆକଳନରୁ ରାଜ୍ୟରେ ଫେବୃଆରୀ ଶେଷ ଏବଂ ମାର୍ଚ୍ଚ ପହିଲା ଆଡକୁ ଗ୍ରୀଷ୍ମ ଋତୁର ଆଗମନ ହେବ ବୋଲି ଅନୁମାନ କରାଯାଉଛି।