ମିଳିଲା ସ୍ୱିଗି ବୟର ସନ୍ଧାନ, ସ୍ତ୍ରୀକୁ ଠକି ପ୍ରେମିକା ପାଇଁ ରଚିଥିଲା ନିଜ କିଡନାପର ନାଟକ, ଜାଣନ୍ତୁ ପୂରା ନାଟକ ପଛର କାହାଣୀ

 
Swiggy boy

ଗତ ଦୁଇ ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଥିବା ସ୍ୱିଗି ବୟ ଅପହରଣ ମାମଲା ଏବେ ରୋଚକ ମୋଡ଼ ନେଇଛି। ଅପହରଣର ନାଟକ କରି ଆଉ ଜଣେ ଯୁବତୀଙ୍କ ସହିତ ସ୍ୱିଗି ବୟ ପତିତପାବନ ନିଜ ଇଚ୍ଛା ମୁତାବକ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଅପହରଣ ହୋଇଥିବାର ମିଛ ହାୱାରେ ଉଭୟେ ରାଜ୍ୟ ବାହାରକୁ ଖସି ପଳାଇଥିବା ବେଳେ ସେଠାରେ ସେମାନଙ୍କୁ ପୋଲିସ ଧରିନେଇଛି। 

Patitapaban

ମିଳିଥିବା ସୂଚନା ଅନୁଯାଇ ଅପହରଣ ହୋଇଥିବା ନେଇ ପତିତପାବନ ତାଙ୍କ ସ୍ତ୍ରୀକୁ ପଠାଇଥିବା ଅଡ଼ିଓ ମେସେଜ୍ ରୁ ହିଁ ପୋଲିସକୁ ସନ୍ଦେହ ହୋଇଥିଲା। ଏହାପରେ ପୋଲିସ ତାର ଫୋନ ଟ୍ରାକିଂ କରିବା ସହ ବିଭିନ୍ନ ସିସିଟିଭି ଫୁଟେଜ୍ କୁ ଯାଞ୍ଚ କରିଥିଲା। ସେଥିମଧ୍ୟରୁ ଗୋଟିକରେ ପତିତପାବନ ନିଜେ ନିଜେ ଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ଶେଷରେ ଫୋନ ଟ୍ରାକିଂ ଜରିଆରେ ଧଉଳି ଥାନା ପୋଲିସ ପତିତପାବନ ଓ ତା ପ୍ରେମିକାକୁ ଧରିବାରେ ସକ୍ଷମ ହୋଇଛି। ତେବେ, ସେମାନଙ୍କୁ ସେଠାରୁ ଓଡିଶା ଫେରାଇ ଆଣିବା ପାଇଁ ଯୋଜନା କରାଯାଉଥିବା ଜଣାଯାଇଛି।

Kidnapped

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୧୧ ତାରିଖ ରାତିରେ ସ୍ବିଗି ଡେଲିଭରି ବୟ ପତିତପାବନଙ୍କୁ ଅପହରଣ କରି ନିଆଯାଇଥିବା ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଧଉଳି ଥାନା ପୋଲିସ ଖୋଜା ଖୋଜି କରିବା ପରେ ଦୟାବ୍ରିଜ ଲିଙ୍ଗିପୁର ସ୍ଥିତ ଏକ ନିକାଞ୍ଚନ ଜାଗାରୁ ତାଙ୍କ ଚିରାଗଞ୍ଜି, ଏକ ଛୁରି, ବ୍ୟାଗ, ଚପଲ, ପାଣି ବୋତଲ ଆଦି ଜବତ କରିଥିଲା।

ତେବେ, ପତିତପାବନ ଅପହରଣ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କ ପାଖକୁ ଏକ ଅଡ଼ିଓ ମେସେଜ ପଠାଇଥିଲା, ଯାହାକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ, ପ୍ରକୃତ ସତ କଥା ସାମ୍ନାକୁ ଆସିବା ପରେ ପତିତପାବନଙ୍କ ସହ ଯାଇଥିବା ଯୁବତୀଙ୍କ ପରିବାର ଲୋକେ ଗୋପ ଥାନାରେ ତା ବିରୁଦ୍ଧରେ ଅଭିଯୋଗ କରିଥିବା ସୂଚନା ମିଳିଛି।