ଦେଖନ୍ତୁ ଭିଡ଼ିଓ: ସାମ୍ନାକୁ ଆସିଲା ହୋଟେଲ ମାଲିକଙ୍କ ଦବଙ୍ଗଗିରି, ଏହି କାରଣରୁ ଅସହାୟ ଗ୍ରାହକକୁ ନିର୍ଧୁମ ଛେଚିଲେ ବାପ-ପୁଅ

 
Beaten

ସାଧାରଣତଃ ଦୋକାନୀ ଏବଂ ବ୍ୟବସାୟୀ ମାନଙ୍କ ପାଇଁ ଗ୍ରାହକ ଭଗବାନଙ୍କ ସମାନ ହୋଇଥାନ୍ତି। କିନ୍ତୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ଘସିପୁରା ଥାନା ଅନ୍ତର୍ଗତ ଘସିପୁରା ବଜାରରେ ଜଣେ ଗ୍ରାହକଙ୍କୁ ହୋଟେଲ ମାଲିକ ଏବଂ ତାଙ୍କ ପୁଅ ନିସ୍ତୁକ ମାଡ଼ ମାରିଥିବା ଖବର ସାମ୍ନାକୁ ଆସିଛି। ଏହି ଅଭାବନୀୟ ଘଟଣାକ୍ରମରେ ମାତ୍ର ୫ ଟଙ୍କା ପାଇଁ ଅଭିଯୁକ୍ତମାନେ ଗ୍ରାହକଙ୍କୁ ମାଡ଼ ମାରୁଥିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣା ମୁତାବକ ଗ୍ରାହକ ଜଣକ ଘସିପୁରା ଲକ୍ଷ୍ମୀ ବଜାରରେ ଥିବା ଏକ ହୋଟେଲକୁ ମଧ୍ୟାନ ସମୟରେ ଖାଇବାକୁ ଯାଇଥିଲେ। ଖାଇସାରିବା ପରେ ହୋଟେଲ ମାଲିକ ତାଙ୍କୁ ୪୫ ଟଙ୍କା ଦେବା ପାଇଁ କହିଥିଲେ। କିନ୍ତୁ, ଗ୍ରାହକ ଜଣକ ୪୦ ଟଙ୍କା ଦେଇ ବାକି ୫ ଟଙ୍କା ପରେ ଦେବେ ବୋଲି କହିଥିଲେ। ଏହି ଛୋଟ କଥାକୁ କେନ୍ଦ୍ର କରି ହୋଟେଲ ମାଲିକ ଏବଂ ଗ୍ରାହକଙ୍କ ମଧ୍ୟରେ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ହୋଟେଲ ମାଲିକ ଏବଂ ତାଙ୍କ ପୁଅ ଏଥିନେଇ ଗ୍ରାହକ ଜିତେନ୍ଦ୍ରଙ୍କୁ ଗୋରୁ ଗାଈ ଭଳି ପିଟିଥିଲେ।

ଦେଖନ୍ତୁ ଭିଡ଼ିଓ:-

ଏଥିନେଇ ଜିତେନ୍ଦ୍ର ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ହୋଟେଲ୍ ମାଲିକଙ୍କୁ ଗିରଫ କରିଥିବା ବେଳେ ତାଙ୍କ ପୁଅ ଫେରାର ହୋଇଯାଇଥିବା ସୂଚନା ମିଳିଛି। ତେବେ, ଭିଡ଼ିଓଟି ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ମାତ୍ର ୫ ଟଙ୍କା ପାଇଁ ହୋଇଥିବା ଏହି ଅମାନୁଷିକ କାଣ୍ଡ ସଭ୍ୟ ସମାଜ ନାଁରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।