ଜାଣନ୍ତୁ କେମିତି ଓ କିଏ କରିଛି ସାମୁଦ୍ରିକ ବାତ୍ୟା ‘ୟାସ୍’ ର ନାମକରଣ? ‘ୟାସ୍‘ ନାମର ଅର୍ଥ ହେଉଛି...

 
Yash

ପୂର୍ବରୁ "ଆମ୍ଫାନ", "ଫନି" ଏବଂ "ହୁଡ଼ହୁଡ଼" ପରେ ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ଆଉ ଏକ ସାମୁଦ୍ରିକ ଝଡ଼। ଓଡ଼ିଶା ମୁହାଁ ହୋଇଥିବା ଏହି ସାମୁଦ୍ରିକ ଝଡ଼ର ନାମ "ୟାସ୍" ରଖାଯାଇଛି। ତେବେ ଏହି ସାମୁଦ୍ରିକ ଝଡ଼ର ନାମ ୟାସ୍ କିଏ ରଖିଲା ଏବଂ ଏହାର ଅର୍ଥ କଣ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ।

ତେବେ ଏଠାରେ କହି ରଖୁଛୁ ଯେ ସାଧାରଣତଃ ସାମୁଦ୍ରିକ ବାତ୍ଯା ଗୁଡିକ ଏକ ସପ୍ତାହ କିମ୍ବା ଅଧିକ ସମୟ ଧରି ରହିପାରେ। ଏଥିସହିତ ସମୁଦ୍ରରେ ଗୋଟିଏ ସମୟରେ ଏକ ସମୟରେ ଏକରୁ ଅଧିକ ସାମୁଦ୍ରିକ ବାତ୍ଯା ସୃଷ୍ଟି ହୋଇପାରେ ତେଣୁ ଏହାକୁ ଚିହ୍ନଟ କରିବାକୁ ହେଉଥିବା ଦ୍ଵନ୍ଦକୁ ଦୂର କରିବା ପାଇଁ ବିଶ୍ୱବ୍ୟାପୀ ଥିବା ଛଅଟି ଆଞ୍ଚଳିକ ସ୍ୱତନ୍ତ୍ର ପାଣିପାଗ କେନ୍ଦ୍ର (ଆରଏସଏମସି) ଏହି ବାତ୍ଯାର ନାମକରଣ କରିଥାନ୍ତି। 

ଏଥିମଧ୍ୟରେ ଥିବା ଭାରତୀୟ ଆଞ୍ଚଳିକ ସ୍ୱତନ୍ତ୍ର ପାଣିପାଗ କେନ୍ଦ୍ର ବାଂଲାଦେଶ, ଭାରତ, ଇରାନ, ମାଲଦ୍ୱୀପ, ମିଆଁମାର, ଓମାନ, ପାକିସ୍ଥାନ, କାତାର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ୟେମେନ ଆଦି ୧୩ଟି ଦେଶକୁ ପାଣିପାଗ ସୂଚନା ଦେଇଥାଏ।

ତେଣୁ ଉତ୍ତର ଭାରତ ମହାସାଗର, ବଙ୍ଗୋପସାଗର ଏବଂ ଆରବ ସାଗରରେ ସୃଷ୍ଟି ହେଉଥିବା ବାତ୍ୟା ଗୁଡିକର ନାମକରଣ ଏଇ ୧୩ଟି ଦେଶ ପୂର୍ବରୁ ଦେଇଥିବା ବାତ୍ୟାର ନାମ ଗୁଡିକ ଉପରେ ନାମିତ ହୋଇଥାଏ। ସେହିପରି ଏଥର ସୃଷ୍ଟି ହୋଇଥିବା ବାତ୍ୟାକୁ ଓମାନ ଦ୍ୱାରା ଦିଆଯାଇଥିବା ନାମ ‘ୟାସ୍’ ନାମରେ ନାମିତ କରାଯାଇଛି। 

ୟାସ୍ ଶବ୍ଦଟି ପାର୍ସୀ ଭାଷାରୁ ଉତ୍ପନ୍ନ ହୋଇଛି। ଏହାର ଅର୍ଥ ଇଂରାଜୀରେ ଜସ୍ମିନ୍ ଏବଂ ଓଡିଆରେ ଏହା ମଲ୍ଲି ଫୁଲକୁ ଦର୍ଶାଉଛି। ତେବେ କେତେକ ଲୋକେ ଏହାକୁ "ୟସ୍" ବୋଲି ଉଚ୍ଚାରଣ କରୁଥିବା ବେଳେ ଏହାର ପ୍ରକୃତ ଉଚ୍ଚାରଣ "ୟାସ୍" ଅଟେ। ତେବେ ଏପ୍ରିଲ୍ ୨୦୨୦ ରେ ବଙ୍ଗୋପସାଗର ଏବଂ ଆରବ ସାଗର ସମେତ ଉତ୍ତର ଭାରତ ମହାସାଗରରେ ହେବାକୁ ଥିବା ସାମୁଦ୍ରିକ ବାତ୍ଯାର ନାମକରଣ ପାଇଁ ଏକ ନୂତନ ତାଲିକା ପ୍ରସ୍ତୁତ କରାଯାଇଥିଲା। ସାମ୍ପ୍ରତିକ ତାଲିକାରେ ସମୁଦାୟ ୧୬୯ଟି ନାମ ଅଛି ଏବଂ ଆଗାମୀ ସାମୁଦ୍ରିକ ଝଡ଼ର ନାମ ଗୁଲାବ ରହିବ ଯାହା ପାକିସ୍ତାନ ଦ୍ୱାରା ନାମିତ କରାଯାଇଛି।