ଦେଖନ୍ତୁ ଭିଡ଼ିଓ: "ଫୋନରେ ୧୦୦ ଟଙ୍କା ଛାଡୁଛି, କ୍ୟାସ୍ ଦେ", ବାସ୍ ଏତିକି କଥାରୁ ବଚସାରୁ ହୋଟେଲ ମାଲିକକୁ ହାଣିଦେଲେ ଦୁର୍ବୁତ୍ତ

 
Hanidrlu durbuta

ଗ୍ରାହକ ହୋଇ ଦୋକାନକୁ ଆସିଥିଲେ, ସାମାନ୍ୟ କଥା କଟାକଟିରୁ ଆରମ୍ଭ କରିଦେଲେ ତୁମୁଳକାଣ୍ଡ। ହୋଟେଲ ମାଲିକ ଟଙ୍କା ନ ଦେବାରୁ ସର୍ବସମ୍ମୁଖରେ ଖଣ୍ଡା ଦ୍ୱାରା ଆକ୍ରମଣ କରିଲେ ୩ ଦୁର୍ବୁତ୍ତ। ଗତ ରବିବାର ସନ୍ଧ୍ୟା ସମୟରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଛକରେ ଘଟିଯାଇଛି ଏହିଭଳି ଏକ ଅଭାବନୀୟ ଘଟଣା। ଏଥିସହିତ ଦୁର୍ବୁତ୍ତମାନେ ହୋଟେଲ କର୍ମଚାରୀ ଏବଂ ମାଲିକଙ୍କୁ ଆକ୍ରମଣ କରୁଥିବାର ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

Attacked

ମିଳିଥିବା ସୂଚନା ଅନୁଯାଇ ହରିଡାଖଣ୍ଡି ଛକରେ ଅନୀଲ ନାମକ ଜଣେ ବ୍ୟକ୍ତିଙ୍କର ଏକ ହୋଟେଲ ରହିଛି। ଗତ ରବିବାର ସାନ୍ଧ୍ୟରେ ସେଠାକୁ ୩ ଜଣ ଯୁବକ ଆସିଥିଲେ। ସେମାନେ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଅନୀଲଙ୍କୁ ଟଙ୍କା ଦେଇ ତାଙ୍କ ଠାରୁ କ୍ୟାସ୍ ମାଗିଥିଲେ। ଅନୀଲ ଏଥିରେ ରାଜି ହୋଇନଥିଲେ ବରଂ ଏହି ଟଙ୍କାରେ କିଛି ଖାଇନେବା ପାଇଁ ସେ ସେମାନଙ୍କୁ କହିଥିଲେ। ଯୁବକମାନେ ଏଥିରେ ଅରାଜି ହେବା ସହ ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ। 

ଧୀରେ ଧୀରେ ସେମାନଙ୍କ ଭିତରେ ହୋଇଥିବା ଯୁକ୍ତିତର୍କ ଉଗ୍ର ରୂପ ନେଇଥିଲା ଏବଂ ୩ ଯୁବକ ସେଠାରୁ ପଳାଇଥିଲେ। କିନ୍ତୁ, ଏହାର ମାତ୍ର ୫ ମିନିଟ ଭିତରେ ସେମାନେ ଖଣ୍ଡା ଏବଂ ଅନ୍ୟ ମାରଣାଅସ୍ତ୍ର ଧରି ଫେରିଥିଲେ। କିଛି ବୁଝିବା ପୂର୍ବରୁ ଦୁର୍ବୁତ୍ତମାନେ ଅନୀଲ ଏବଂ ତାଙ୍କ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।