ଚତୁର୍ଥୀ ହୋମ ନିଆଁ ଲିଭିନି ଜ୍ୱରରେ ଚାଲିଗଲା ବରର ଜୀବନ, ଶବ ଫେରିବା ଆଗରୁ କନ୍ୟାର ହେଲା ଏହି ଅବସ୍ଥା, ପୁରା ଘଟଣା ଜାଣି ହେବେ ଦୁଃଖିତ

 
ଚତୁର୍ଥୀ ହୋମ ନିଆଁ ଲିଭିନି ଜ୍ୱରରେ ଚାଲିଗଲା ବରର ଜୀବନ, ଶବ ଫେରିବା ଆଗରୁ କନ୍ୟାର ହେଲା ଏହି ଅବସ୍ଥା, ପୁରା ଘଟଣା ଜାଣି ହେବେ ଦୁଃଖିତ

ହାତରୁ ମେହେନ୍ଦୀ ଛାଡିନି କି ଚତୁର୍ଥୀ ନିଆଁ ଲିଭିନି କିନ୍ତୁ ଥଣ୍ଡା ଜ୍ୱରରେ ଆକସ୍ମିକ ଭାବରେ ଚାଲିଗଲା ବରର ଜୀବନ। ଏପରିକି ସ୍ୱାମୀର ଶବ ଘରେ ପହଞ୍ଚିବା ଆଗରୁ ନବବିବାହିତା ଝିଅକୁ ଶାଶୂଘରୁ ନେଇଗଲେ ବାପଘର ଲୋକେ। ଏହିପରି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ପ୍ରଧାନପଡ଼ା ପଞ୍ଚାୟତ ଦୁର୍ଗାଦେବୀପଡ଼ା ଗ୍ରାମରେ।

ପୁରା ଘଟଣା ମୁତାବକ ଗତ ୯ ତାରିଖ ରାତିରେ ମୃତକ ସଞ୍ଜୟ କୁମାର ନାୟକ(ଦିପୁ)ଙ୍କର ରାଜକନିକା ବ୍ଲକ୍‌ ଓଳାଭର ପଞ୍ଚାୟତର ଜଣେ ଯୁବତୀଙ୍କ ସହିତ ବିବାହ ହୋଇଥିଲା। ସେତେବେଳେ ସେ ଜ୍ବରରେ ପୀଡିତ ଥିଲେ ମଧ୍ୟ ଏହାକୁ କେହି ଖାତିର୍ ନ କରି ବିବାହ କରାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସଞ୍ଜୟ ନିଜ ବଡ଼ ଭାଇଙ୍କ ସହ ବାଙ୍ଗାଲୋର ରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେ ବାହାଘର ପାଇଁ ସେଠାରୁ ଆସିଲା ବେଳେ କୋଭିଡ଼ ଟେଷ୍ଟ କରାଇଥିଲେ ମଧ୍ୟ ଏହା ନେଗେଟିଭ ଆସିଥିଲା।

ତେବେ ଘରକୁ ଆସିବା ଦିନଠାରୁ ତାଙ୍କୁ ଥଣ୍ଡା ଜ୍ୱର ଲାଗିରହିଥିଲା। ଏହାରି ଭିତରେ ବାହାଘର ଏବଂ ପରେ ପରେ ଚଉଠି ମଧ୍ୟ ସାରିଥିଲା। ତେବେ ପରଦିନ ସକାଳୁ ସଞ୍ଜୟଙ୍କର ଦେହ ଅବସ୍ଥା ଅତ୍ୟଧିକ ଖରାପ ହେବାରୁ ତାଙ୍କୁ ପ୍ରଥମେ ଯାଜପୁର ମେଡିକାଲ ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲ କୁ ସ୍ଥାନାନ୍ତର କରିବା ପାଇଁ ଯୋଗାଯୋଗ କରିବା କରିବା ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ତେବେ ବରର ମୃତ୍ୟୁ ଖବର ପାଇ କନ୍ୟା ବାପଘର ଲୋକେ ନିଜ ଝିଅକୁ ଶାଶୂଘରୁ ନେଇଯାଇଥିଲେ। ଅନ୍ୟପକ୍ଷରେ ସଞ୍ଜୟଙ୍କୁ କରୋନା ଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏଥିପାଇଁ ପରିବାର ଲୋକେ ଆଶଙ୍କାରେ ରହିଛନ୍ତି। ତେବେ କୋଭିଡ୍‌ ପରିଚାଳନା ଦାୟିତ୍ୱରେ ଥିବା ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ରଙ୍କୁ ଏ ସଂପର୍କରେ ପଚରା ଯିବାରୁ ସଞ୍ଜୟଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଥିଲେ। ତଥାପି କୋଭିଡ୍‌ ଗାଇଡ୍‌ଲାଇନ ଅନୁସାରେ ମୃତ୍ୟୁ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ ଆଶ୍ୱାସନା ଦେଇଛନ୍ତି।