୧୦୦ କୁକୁର ଛୁଆଙ୍କ ହତ୍ୟା କରିଥିବା ଦୁଇ ମାଙ୍କଡ଼ଙ୍କୁ ଧରିଲା ବନ ବିଭାଗ, ଏହି କାରଣରୁ ମାଙ୍କଡ଼ ନେବାକୁ ଚାହୁଁଥିଲା ପ୍ରତିଶୋଧ 

 
Monkey caught

ମାଙ୍କଡ଼ଙ୍କ ଆତଙ୍କରାଜ୍ ରୁ ନିସ୍ତାର ପାଇଲେ କୁକୁର ଏବଂ ଗ୍ରାମବାସୀ। କିଛିଦିନ ତଳେ ମହାରାଷ୍ଟ୍ରର ବୀଡ୍‌ ଜିଲ୍ଲା ଅନ୍ତର୍ଗତ ମଜାଲଗାଓଁ ଅଞ୍ଚଳରେ କିଛି ମାଙ୍କଡ଼ ପ୍ରାୟ ୮୦ ରୁ ୧୦୦ ଟି କୁକୁର ଛୁଆଙ୍କୁ ମାରିବା ସହ ସ୍ଥାନୀୟ ଲୋକଙ୍କ ଉପରକୁ ଆକ୍ରମଣ କରୁଥିବା ଜଣାପଡ଼ିଥିଲା। ତେବେ, ବନବିଭାଗ ଅଧିକାରୀମାନେ ଗତକାଲି ଉକ୍ତ ଦୁଇ କାମୁଡ଼ା ମାଙ୍କଡ଼ଙ୍କୁ ଧରିବାରେ ସଫଳ ହୋଇଛନ୍ତି।

Monkey

ଘଟଣା ମୁତାବକ କିଛି ଦିନ ହେବ ମାଙ୍କଡ଼ମାନେ ମହାରାଷ୍ଟ୍ରର ବୀଡ୍‌ ଜିଲ୍ଲା ଅନ୍ତର୍ଗତ ମଜାଲଗାଓଁ ଅଞ୍ଚଳରେ ଉତ୍ପାତ ଆରମ୍ଭ କରିଥିଲେ। ସେମାନେ କୁକୁର ଛୁଆମାନଙ୍କୁ ଗଛ ଉପରକୁ ଅଥବା କୌଣସି ଉଚ୍ଚ ଘର ଉପରକୁ ନେଇ ତଳକୁ ଫିଙ୍ଗି ଦେଉଥିଲେ। ଏହିଭଳି ସେମାନେ ପ୍ରାୟ ୮୦ ରୁ ଉର୍ଦ୍ଧ କୁକୁର ଛୁଆଙ୍କୁ ହତ୍ୟା କରିଥିଲେ। ଗାଁ କୁକୁରଶୂନ୍ୟ ହେଉଥିବାରୁ ଲୋକେ ଏଥିରେ ବାଧା ଦେଲେ ମାଙ୍କଡ଼ମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରୁଥିବା ଦେଖା ଯାଇଥିଲା।

Monkey caught

ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ମାଙ୍କଡ଼ମାନେ କୁକୁରଙ୍କ ଠାରୁ ପ୍ରତିଶୋଧ ନେବାପାଇଁ ଏପରି କରିଥିଲେ। ପ୍ରକୃତରେ ଏହା ପୂର୍ବରୁ କୁକୁରମାନେ ଏକ ମାଙ୍କଡ଼ ଛୁଆକୁ ଝୁଣି ମାରି ଦେଇଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ମାଙ୍କଡ଼ମାନେ କୁକୁର ଛୁଆଙ୍କୁ ମାରିବା ଆରମ୍ଭ କରିଥିଲେ। ଏପରିକି ମଣିଷମାନେ ଏଥିରେ ବାଧା ଦେବାରୁ ସେମାନେ ସ୍କୁଲ ଯାଉଥିବା ପିଲାଙ୍କୁ ଆକ୍ରମଣ କରୁଥିବା ଦେଖାଯାଇଥିଲା।