ଜାଲିଆତି କରି ଧରାପଡ଼ିଲେ ଅନୁଭବଙ୍କ ବାପା ଅଭୟ ମହାନ୍ତି, ଭର୍ସନା କଲା ଉଚ୍ଚ ଶିକ୍ଷା ବିଭାଗ, ଜାଣନ୍ତୁ ପୂରା ଘଟଣା

 
Anubhav bapa

ଚାକିରୀ ପଦୋନ୍ନତି ପାଇଁ ଜାଲିଆତି କରି ଧରାପଡ଼ିଲେ ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତି। ସିନିୟର ଅଧ୍ୟାପକରୁ ରିଡ଼ର ପାହ୍ୟାକୁ ପଦୋନ୍ନତି ପାଇବା ପାଇଁ ଶ୍ରୀ ମହାନ୍ତି ଜାଲି ସାର୍ଟିଫିକେଟ ପ୍ରଦାନ କରିଥିଲେ। ଏଥିପାଇଁ କନ୍ଦରପୁର କଲେଜର ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତିଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ।

ମିଳିଥିବା ସୂଚନା ଅନୁଯାଇ ଶ୍ରୀ ମହାନ୍ତି ରିଡର ପାହ୍ୟାର ପେନସନ ସୁବିଧା ପାଇବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି ବେଳେ ସାର୍ଟିଫିକେଟ ଗୁଡିକ ଯାଞ୍ଚ କରିବାକୁ ମାନ୍ୟବର ଅଦାଲତ ନିର୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ରାୟ ପରେ ଶିକ୍ଷା ବିଭାଗ ପକ୍ଷରୁ ଏହାର ଯାଂଚ କରାଯାଇଥିଲା ଏବଂ ଏଥିରେ ଶ୍ରୀ ମହାନ୍ତିଙ୍କର ଜାଲି ସାର୍ଟିଫିକେଟ କଥା ସାମ୍ନାକୁ ଆସିଥିଲା। ଫଳରେ ସେ ଦାବି କରୁଥିବା ପେନସନ୍ ସୁବିଧାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଖାରଜ କରି ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସିନିୟର ଶିକ୍ଷକ ରୁ ରିଡର ପାହ୍ୟାକୁ ପଦୋନ୍ନତି ପାଇବା ପାଇଁ ଅତିକମରେ ୪ ସପ୍ତାହର ୨ଟି ରିଫ୍ରେସର କୋର୍ସ ପ୍ରଶିକ୍ଷଣ ନେବା ଜରୁରୀ ଥିଲା ଏବଂ ସେତେବେଳେ ଶ୍ରୀ ମହାନ୍ତି ଏହି ସାର୍ଟିଫିକେଟ ପ୍ରଦାନ କରିଥିଲେ। କିନ୍ତୁ, ବର୍ତ୍ତମାନ ହୋଇଥିବା ତଦନ୍ତ ଅନୁଯାଇ ସେ ପ୍ରଦାନ କରିଥିବା ରିଫ୍ରେସର କୋର୍ସ ସାର୍ଟିଫିକେଟ ଜାଲି ଅଟେ ବୋଲି ଜଣାପଡିଛି। ଏପରିକି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ୧୯୯୩ ଡିସେମ୍ବର ୧ରୁ ୨୮ତାରିଖ ପର୍ଯ୍ୟନ୍ତ କୌଣସି ରିଫ୍ରେସର କୋର୍ସ ପାଇଁ ସାଟିଁଫିକେଟ୍ ଶ୍ରୀ ମହାନ୍ତିଙ୍କୁ ଦିଆଯାଇନାହିଁ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। 

ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ଜାଲି ସାର୍ଟିଫିକେଟ ପ୍ରଦାନ କରିଥିବା ନେଇ ଅଭିଯୋଗ ହୋଇଥିଲା। ସେଥିପାଇଁ ଉଚ୍ଚଶିକ୍ଷା ବିଭାଗ ତାଙ୍କର ୨୦୦୯ ମାର୍ଚ୍ଚ ୨୭ତାରିଖରେ ତାଙ୍କର ପଦୋନ୍ନତିଜନିତ ସମସ୍ତ ବକେୟାକୁ ସ୍ଥଗିତ ରଖିବା ସହ ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହାପରେ ଶ୍ରୀ ମହାନ୍ତି କୋର୍ଟର ଆଶ୍ରୟ ନେଇଥିଲେ ମଧ୍ୟ କୋର୍ଟର ରାୟ ତାଙ୍କ ବିପକ୍ଷରେ ଯାଇଛି।

ୟୁଜିସି ନିୟମ ଅନୁସାରେ ଚାକିରିରୁ ଅବସର ନେବାର ୩ବର୍ଷ ଭିତରେ ପଦୋନ୍ନତି ନିମନ୍ତେ କୌଣସି ରିଫ୍ରେସର କୋର୍ସ ପ୍ରମାଣପତ୍ର ଦାଖଲ କରିବାର ଆବଶ୍ୟକତା ନାହିଁ ବୋଲି କୋର୍ଟରେ ଶ୍ରୀ ମହାନ୍ତି ଯୁକ୍ତି ବଢିଥିଲେ। କିନ୍ତୁ ଏହାକୁ ଖଣ୍ଡନ କରିଛି ଉଚ୍ଚଶିକ୍ଷା ବିଭାଗ ଏବଂ କହିଛି ଯେ ଶ୍ରୀ ମହାନ୍ତି ୨୦୧୦ ମେ’ ୩୧ତାରିଖରେ ଅବସର ନେଇଥିବାବେଳେ ତା’ର ୧୩ବର୍ଷ ପୂର୍ବରୁ ଅର୍ଥାତ୍ ୧୯୯୭ ଜାନୁୟାରୀ ୨ରୁ ତାଙ୍କୁ ରିଡର ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା। ତେଣୁ ୟୁଜିସି ନିୟମ ତାଙ୍କ ପାଇଁ ଲାଗୁ ହେବନାହିଁ ଏବଂ ସେ ପଦୋନ୍ନତି ପାଇବାକୁ ଯୋଗ୍ୟ ନୁହନ୍ତି ଏବଂ ଜାଲି ସାର୍ଟିଫିକେଟ ଦେଇ ସେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଖରାପ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି।

ଏଠାରେ କହି ରଖୁଛୁ ଯେ ପୂର୍ବରୁ ମଧ୍ୟ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ପରିବାର ବିଭିନ୍ନ କାରଣରୁ ବିବାଦରେ ରହିଆସିଛନ୍ତି। ଅନୁଭବଙ୍କ ଶିକ୍ଷାଗତ ଯୋଗ୍ୟତା କୁ ନେଇ ପ୍ରଶ୍ନ ଉଠିଥିବା ବେଳେ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଛାଡ଼ପତ୍ରକୁ ନେଇ ପୂର୍ବରୁ ଅନେକ ବିବାଦ ସୃଷ୍ଟି ହୋଇ ସାରିଛି।