'ତୌକତେ' ପରେ ବଙ୍ଗୋପସାଗରରୁ ମାଡ଼ି ଆସୁଛି ନୂଆ ବାତ୍ୟା, ଓଡ଼ିଶାରେ କରିବ ଲ୍ୟାଣ୍ଡଫଲ୍! ଜାଣନ୍ତୁ କଣ ରହିବ ପ୍ରଭାବ

 
Batya

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସାମୁଦ୍ରିକ ଝଡ଼ 'ତୌକତେ' କୁ ପୂର୍ବରୁ ଅନୁମାନ କରାଯାଇଥିବା ବେଳେ ଏହି ଅନୁମାନ ସଠିକ ସାବ୍ୟସ୍ତ ହୋଇଛି। ମୁମ୍ବାଇ ଠାରୁ ଆରମ୍ଭ କରି ଗୁଜୁରାଟ ଯାଏଁ ତାଣ୍ଡବ କରିଛି ତୌକତେ। ଏହି ସାମୁଦ୍ରିକ ଝଡ଼ରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ଏଥିରେ ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ଘଟିଛି।

ତେବେ ବାତ୍ୟାର ଏହି ବିଭୀଷିକା ଲୋକଙ୍କ ମନରୁ ଲିଭିନଥିବା ବେଳେ ଆଉ ଏକ ସାମୁଦ୍ରିକ ଝଡ଼ ଆସୁଥିବାର ପ୍ରାଥମିକ ସୂଚନା ଦେଇଛି ପାଣିପାଗ ବିଭାଗ। ପୂର୍ବରୁ ଆରବ ସାଗରରେ ସୃଷ୍ଟ ଲଘୁଚାପ ଯୋଗୁ 'ତୌକତେ' ବିଭୀଷିକା ରଚିଥିବା ବେଳେ ବର୍ତ୍ତମାନ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବାର ସୂଚନା ମିଳୁଛି।

ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ଅନୁମାନ କରାଯାଉଥିବା ବେଳେ। ଯଦି ଏପରି ହୁଏ ତେବେ ଏହା ଦ୍ୱାରା ଓଡ଼ିଶା ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଏହି ବାତ୍ୟା ସୃଷ୍ଟି ହେଲେ ଏହା କେଉଁ ରାଜ୍ୟ ଉପରେ ପ୍ରଭାବ ପକାଇବ ତାହା ୨୩ ତାରିଖ ପରେ ଜଣାପଡିବ।

ଭାରତ ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡାକ୍ତର.ମାଧବନ ରାଜୀବନ୍ ଆଜି ଟ୍ୱିଟ କରି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବିଷୟରେ ସୂଚନା ଦେଇଥିଲେ। ଏହି ଟ୍ୱିଟରେ ସେ ଭାରତୀୟ ପାଣିପାଗ ବିଭାଗକୁ 'ତୌକତେ' ର ସଫଳ ପୂର୍ବାନୁମାନ କରିଥିବାରୁ ଭାରତୀୟ ବିଭାଗକୁ ଅଭିନନ୍ଦନ ଜଣାଇଥିଲେ। ତେବେ ୨୩ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଘନୀଭୂତ ହେଲେ ଏହା ୨୬ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ ବୋଲି ଅନୁମାନ କରାଯାଉଛି।