ମହଙ୍ଗା ମାଡରେ କଲବଲ ହେଉଛନ୍ତି ଖାଉଟି! ଡାଲି, ଚାଉଳ ରେଟ୍ ଆକାଶ ଛୁଆଁ, ଜାଣନ୍ତୁ କାହିଁକି ବଢୁଛି ଦରଦାମ୍

 
Khauti

ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ଖାଉଟି। ପେଟ୍ରୋଲ, ଡିଜେଲ ଓ ଏଲପିଜିର ଦର ଆକାଶ ଛୁଆଁ ହୋଇଯାଇଥିବା ବେଳେ ଏବେ ଖାଉଟିଙ୍କ ପେଟ ଉପରେ ପଡ଼ିଛି ମହଙ୍ଗା ମାଡ଼। ଆଜ୍ଞା ହଁ, ଚାଉଳ ଠାରୁ ଆରମ୍ଭ କରି ସୁଜି, ଅଟା ଏବଂ ଡାଲି ଭଳି ନିତ୍ୟ ବ୍ୟବହାର୍ଯ୍ୟ ରାସନର ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ସାମଗ୍ରୀ ଗୁଡିକର ଦର ବୃଦ୍ଧି ଫଳରେ ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କ ମନରେ ଛନକା ପସିଛି।

Grocery

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ମଧ୍ୟରେ ଡାଲି, ଚାଉଳ ଭଳି ରାସନ ସାମଗ୍ରୀର ଦର ବଢିବାକୁ ଲାଗିଛି। ୧୫-୨୦ ଦିନ ତଳେ ହରଡ଼ ଡାଲି କିଲୋ ପ୍ରତି ୯୦ ଟଙ୍କା ରହିଥିବା ବେଳେ ଏବେ ଏହା ୧୧୦-୧୨୦ ଟଙ୍କାରେ ପହଞ୍ଚି ସାରିଲାଣି। ସେହିଭଳି ଭାବରେ ଚାଉଳ କିଲୋ ପିଛା ୫ରୁ ୬ ଟଙ୍କା ବଢ଼ିଥିବା ବେଳେ ଅଟା ୨ରୁ ୩ ଟଙ୍କା, ସୁଜି ୩ରୁ ୪ ଟଙ୍କା, ମଇଦା ୫ ଟଙ୍କା ମହଙ୍ଗା ହୋଇଛି। ସାଧାରଣ ଲୋକଙ୍କ ପାଇଁ ମାର୍କେଟକୁ ସଉଦା କରି ଯିବା କାଠିକର ପାଠ ସାବ୍ୟସ୍ତ ହେଉଛି।

Rice and dal

ଅନ୍ୟପକ୍ଷରେ ବଢୁଥିବା ଦରଦାମ ଉପରେ ରୋକ୍ ଲଗାଇବା ପାଇଁ ସରକାର ଚାଉଳ ଏବଂ ଗହମ ରପ୍ତାନି ଉପରେ ରୋକ୍ ଲଗାଇବା ପାଇଁ ଯୋଜନା କରୁଥିବା ଶୁଣିବାକୁ ମିଳୁଛି। ଖାସ୍ କରି ବିଶ୍ୱ ଚାଉଳ ରପ୍ତାନିରେ ୪୦ ପ୍ରତିଶତ ଅଂଶୀଦାର ଥିବା ଭାରତ ଭଙ୍ଗା ଚାଉଳରେ କଟକଣା ଲଗାଇଲେ ଚୀନ ସମେତ ବହୁ ଏସିୟ ରାଷ୍ଟ୍ର ଏହାଦ୍ୱାରା ପ୍ରଭାବିତ ହେବେ ନିଶ୍ଚିତ। ତେବେ, ଦରଦାମ କମାଇବା ପାଇଁ ସରକାର କି ପ୍ରକାର ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଛି।