ବୁଲିବା ପାଇଁ ଓଡ଼ିଶାର ୫ ଉତ୍କୃଷ୍ଟ ସ୍ଥାନ, ନୂଆବର୍ଷରେ ପ୍ରକୃତିର ମଜା ନେବାକୁ ଚାହୁଁଥିଲେ ଯାଆନ୍ତୁ ଏହି ୫ଟି ସ୍ଥାନକୁ

 
Picnic

ନୂଆବର୍ଷରେ ପିକନିକ୍ ଯିବାକୁ ଚାହୁଁଛନ୍ତି କି? ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ରହିଥିବା ଆମ ରାଜ୍ୟରେ ଏଭଳି ଅନେକ ସ୍ଥାନ ରହିଛି ଯାହା ପର୍ଯ୍ୟଟକଙ୍କର ମନକୁ ଅଭିଭୂତ କରିବାରେ ସଫଳ ହୋଇଥାଏ। ତେବେ, ଜଳପ୍ରପାତ ଠାରୁ ଆରମ୍ଭ କରି ହ୍ରଦ ପର୍ଯ୍ୟନ୍ତ ଆସନ୍ତୁ ଜାଣିବା ଏଭଳି ୫ ପିକନିକ୍ ସ୍ପଟ୍ ବିଷୟରେ ଯେଉଁଠାରେ ଆପଣ ବୁଲାବୁଲି କରିବା ସହିତ ବଣଭୋଜିର ଆନନ୍ଦ ନେଇପାରିବେ।

୧. ଡୋକରୀଚଞ୍ଚରା:- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗୁଡହାଣ୍ଡି ଡୋକରୀଚଞ୍ଚରା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଅଟେ। ଏଠାରେ ପ୍ରଭୁ ଶ୍ରୀରାମଙ୍କର ମନ୍ଦିର ରହିଥିବା ବେଳେ ପାହାଡ଼ ଉପରୁ ଝରୁଥିବା ଝରଣାର ପାଣି ସେଠାରେ ସୌନ୍ଦର୍ଯ୍ୟମୟ ପ୍ରାକୃତିକ ପରିବେଶ ସୃଷ୍ଟି କରିଥାଏ। ବୁଲାବୁଲି ସହିତ ଏଠାରେ ବଣଭୋଜି କରିବାର ଯଥେଷ୍ଟ ସୁବିଧା ରହିଛି।

Dokarichanchara

୨. ତାମ୍ପରା ହ୍ରଦ:- ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଗୁଡିକ ମଧ୍ୟରୁ ତାମ୍ପରା ହ୍ରଦ ଅନ୍ୟତମ। ପ୍ରାୟ ୭୪୦ ଏକରରେ ବ୍ୟାପ୍ତ ଏହା ଏକ ବିଶାଳ ମଧୁର ଜଳ ହ୍ରଦ ଅଟେ। ଖାଦ୍ୟପ୍ରେମୀଙ୍କ ପାଇଁ ରେଷ୍ଟୁରାଣ୍ଟ, ପିଲାଙ୍କ ପାଇଁ ପାର୍କ, ବୋଟିଂ ସୁବିଧା ସହିତ ଦୁଃସାହସିକ ଜଳକ୍ରୀଡ଼ା ପାଇଁ ମଧ୍ୟ ଏଠାରେ ସୁବିଧା ରହିଛି। ଶୀତଦିନରେ ଏଠାକୁ ବହୁ ବିଦେଶୀ ପକ୍ଷୀଙ୍କର ଆଗମନ ପରିବେଶକୁ ଆହୁରି ରୋମାଞ୍ଚକର କରିଥାଏ।

Tampara lake

୩. ସାତକୋଶିଆ ଅଭୟାରଣ୍ୟ:- ଦେଶୀ ବିଦେଶୀ ପକ୍ଷୀଙ୍କ ସହିତ ଏଠାକାର ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛନ୍ତି ଅନେକ ବନ୍ୟଜନ୍ତୁ। ଅନୁଗୁଳରେ ଅବସ୍ଥିତ ସାତକୋଶିଆ ଅଭୟାରଣ୍ୟ ରାଜ୍ୟର ଏକ ପ୍ରମୁଖ ପିକନିକ୍ ସ୍ପଟ୍ ଅଟେ। ଏଠାରେ ବୋଟିଂ ସୁବିଧା ସହିତ ସାତକୋଶିଆ ରିସର୍ଟରେ ଆପଣ କ୍ୟାଂପିଙ୍ଗ କରି ରାତ୍ରିଯାପନ କରିପାରିବେ।

Satakosia

୪. କାଇଯୋଡ଼ା ଜଳପ୍ରପାତ:- କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ କାଇଯୋଡ଼ା (ପଟୁଘର) ଜଳପ୍ରପାତ ପର୍ଯ୍ୟଟକଙ୍କ ପାଇଁ ଅନ୍ୟଏକ ଆକର୍ଷଣ ଅଟେ। କେନ୍ଦୁଝର ସଦର ମହକୁମାରୁ ଭାୟା ପଳାଶପଙ୍ଗା ଦେଇ ୫୦ କିମି ତଥା ଭାୟା ବାଂଶପାଳ ଦେଇ ୭୦ କିମ ଗଲେ କାଇଯୋଡା ପାହାଡ କୋଳରେ ଏହି ୧୫୦ ଫୁଟ ଉଚ୍ଚର ଜଳପ୍ରପାତ ରହିଛି। ସରକାରୀ ସୁବିଧା ସୁଯୋଗ ପହଞ୍ଚି ପାରିନଥିଲେ ହେଁ ଏହାର ଅନେକ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରିପାରୁଛି।

Kaijoda

୫. ଭିତରକନିକା:- ମହାନଦୀ, ବ୍ରାହ୍ମଣୀ ଏବଂ ବୈତରଣୀ ନଦୀର ତ୍ରିକୋଣଭୂମିରେ ଅବସ୍ଥିତ ଏହି ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଇଛି। ୭ ପ୍ରଜାତିର ଡ଼ଲଫିନ୍, ୬୩ ପ୍ରକାରର ଲୁଣା ଜଙ୍ଗଲ, ବିରଳ ଅଲିଭ ରିଡ଼ଲେ କଇଁଛ ଏବଂ ବଉଳା କୁମ୍ଭୀର ଭିତରକନିକାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଏଠାରେ ୧୬ଟି ଧଳା କୁମ୍ଭୀର ରହିଥିବା ବେଳେ ସେମାନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥାଏ।

Bhitarkanika