ରାଜଧାନୀରେ ମାତାଲ ଯୁବତୀଙ୍କ ଉତ୍ପାତ, ଫଟାଇଦେଲେ ମହିଳା ହୋମଗାର୍ଡଙ୍କ ମୁଣ୍ଡ, ଜାଣନ୍ତୁ ପୁରା ଘଟଣା
ରାଜଧାନୀ ରାଜରାସ୍ତାରେ ମଙ୍ଗଳବାର ପୁଣି ମାତାଲ ବିଦେଶିନୀ ଉତ୍ପାତ। ଏକ ବାଇକ୍ ସୋ ରୁମ୍ ସାମ୍ନାରେ ଲୋକଙ୍କୁ ଗାଳିଗୁଲଜ କଲେ । ମଦ ଦୋକାନ ଆଗରେ ଧକ୍କା ମାରି ମହିଳା ହୋମଗାର୍ଡଙ୍କ ମୁଣ୍ଡ ଫଟାଇଲେ । ତାଙ୍କୁ ସମ୍ଭାଳିବାକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ନାକେଦମ ହୋଇଛି । ୨୭ ବର୍ଷୀୟ ଏହି ବିଦେଶିନୀଙ୍କ ଘର ନେପାଳ ଭାଗମତି ପ୍ରଦେଶରେ ।
ଅପରାହ୍ଣ ସାଢ଼େ ୪ଟାରେ ଚନ୍ଦ୍ରଶେଖରପୁର ଟିଭିଏସ୍ ବାଇକ୍ ସୋ’ରୁମ ସାମ୍ନାରେ ତାଙ୍କ ହଙ୍ଗାମା ଆରମ୍ଭ ହୋଇଥିଲା । ସୋ’ ରୁମ୍କୁ ଯାଉଥିବା ଗ୍ରାହକ ଓ କର୍ମଚାରୀଙ୍କୁ ମନଇଚ୍ଛା ଗାଳି କରିଥିଲେ । ପରେ ଏକ କଳାରଙ୍ଗର କାରରେ କେଉଁଆଡେ ଅନ୍ତର୍ଧ୍ୟାନ ହୋଇଗଲେ ।
ସନ୍ଧ୍ୟା ୭ଟାରେ ଚନ୍ଦ୍ରଶେଖରପୁର ଥାନା ନିକଟ ଏକ ମଦ ଦୋକାନ ଆଗରେ ଉଭା ହେଲେ । ମଦ ମାଗି ଢ଼କ ଢ଼କ କରି ପିଇ ଚାଲିଲେ । ଦୋକାନ ମାଲିକ ଟଙ୍କା ମାଗିବାରୁ ତାଙ୍କୁ ମନଇଚ୍ଛା ଶୋଧିଲେ । ସେଠାରେ ଉପସ୍ଥିତ ଅନ୍ୟ ଗ୍ରାହକମାନେ ମଧ୍ୟ ବିଦେଶିନୀଙ୍କ ଗାଳିରୁ ବର୍ତ୍ତିଲେନି । ସେମାନଙ୍କ ପାଖକୁ ଯାଇ ମଦ ଛଡ଼ାଇ ପିଇଲେ । ଏମିତି ଢ଼ଙ୍ଗରେ ପ୍ରାୟ ଘଣ୍ଟାଏ ଧରି ସେଠାରେ ହଙ୍ଗାମା କଲେ । ପିସିଆର୍ ନଂ ୨୦ର ପୁଲିସ କର୍ମଚାରୀ ପହଞ୍ଚି ତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ ।
କିନ୍ତୁ ମାତାଲ ଯୁବତୀ ଶୁଣିନଥିଲେ । ବଂର ପୁଲିସକୁ ଦେଖି ଉଗ୍ର ରୂପ ନେଲେ । ପୁଲିସକୁ ନାଲି ଆଖି ଦେଖାଇବା ସହ ଅସଭ୍ୟ ଭାଷାରେ ଗାଳି କରିଥିଲେ । ନୟନ ବେହେରା ନାମକ ମହିଳା ହୋମଗାର୍ଡ ତାଙ୍କୁ ଜାବୁଡି଼ ଧରି ପିସିଆର ଭ୍ୟାନ୍ରେ ବସାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ବିଦେଶିନୀ ଜଣଙ୍କ ତାଙ୍କୁ ଧକ୍କା ମାରିଥିଲେ । କାଉଣ୍ଟରରେ ଥିବା ଏକ ଲୁହାରଡ଼ରେ ନୟନଙ୍କ ମୁଣ୍ଡ ବାଜି ଫାଟିଯାଇଥିଲା ।
ରକ୍ତ ବୋହିବାରୁ ରୁମାଲରେ ମୁଣ୍ଡକୁ ଜାବୁଡି଼ ଧରି ନୟନ ସେଠାରୁ ପଳାଇଥିଲେ । ଥାନାରୁ କିଛି ମହିଳା ପୁଲିସ ସେଠାକୁ ଯାଇ ଯୁବତୀଙ୍କୁ ଜବରଦସ୍ତି ପିସିଆର ଭ୍ୟାନରେ ବସାଇ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ୨ଘଣ୍ଟାର ପରିଶ୍ରମ ପରେ ସେ ଆୟତକୁ ଆସିଥିଲେ । ନୟନଙ୍କ ଅଭିଯୋଗ ମୁତାବକ, ଚନ୍ଦ୍ରଶେଖରପୁର ଥାନା ପୁଲିସ ଏକ ମାମଲା ରୁଜୁ କରିଛି ।