ଆକାଉଣ୍ଟକୁ କାହିଁକି ଗଲାନି ସୁଭଦ୍ରା ଟଙ୍କା? ୨ହଜାର ଲୋକଙ୍କ କଟିଛି ଆବେଦନ, ଜାଣନ୍ତୁ ଉପ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ
ସୁଭଦ୍ରା ଟଙ୍କାକୁ ନେଇ ଦ୍ଵନ୍ଦ୍ଵରେ ଥିବା ଆବେଦନକାରୀଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ୨ ହଜାର ମହିଳାଙ୍କ ଆବେଦନ ଖାରଜ ହୋଇଛି। ଆକାଉଣ୍ଟ ସଠିକ୍ ନଥିବାରୁ ଆବେଦନ ରିଜେକ୍ଟ ହୋଇଥାଇପାରେ। ଶତ ପ୍ରତିଶତ ଆବେଦନ କ୍ଲିୟର ହୋଇଛି, ଆଉ ପେଣ୍ଡିଂ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ସୁଭଦ୍ରା ଯୋଜନା ୨ ହଜାର ଆବେଦନ ଖାରଜ। ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। କାଲି ରାତି ସୁଦ୍ଧା ୯୭ ହଜାର ହିତାଧିକାରୀଙ୍କ ଆବେଦନ ପେଣ୍ଡିଙ୍ଗ ଥିଲା । ଆଜିର ରିପୋର୍ଟ ଅନୁସାରେ ଶତପ୍ରତିଶତ ଆବେଦନ କ୍ଲିୟର ହୋଇଛି। କେବଳ ଆକାଉଣ୍ଟ ଭୁଲ୍ ଭଟକା ଯୋଗୁଁ ୨ ହଜାର ରିଜେକ୍ଟ ହୋଇଥାଇପାରେ ବୋଲି ସେ କହିଛନ୍ତି। ତେବେ ଯେଉଁ ଯୋଗ୍ୟ ହିତାଧିକାରୀ ଆବେଦନ କରିବେ, ସମସ୍ତେ ଟଙ୍କା ପାଇବେ ବୋଲି ପ୍ରଭାତୀ କହିଛନ୍ତି।
ସୂଚନା ଅନୁସାରେ, ଗତକାଲି ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ମହିଳାଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ କରି ପ୍ରାୟ ୨୫ ଲକ୍ଷ ୧୧ ଜଣ ମହିଳା ହିତାଧିକାରୀଙ୍କୁ ୫ ହଜାର ଲେଖାଏଁ ଟଙ୍କା ପ୍ରଦାନ କରିଛନ୍ତି।
ମହିଳାମାନେ ସଶକ୍ତ ହେଲେ ଓଡ଼ିଶାର ବିକାଶ ହେବ। ମହିଳାଙ୍କ ଶକ୍ତି ଓ ସାମର୍ଥ୍ୟ ରାଜ୍ୟ ବିକାଶର ମୂଳମନ୍ତ୍ର। ଏହାକୁ ହୃଦୟଙ୍ଗମ କରି କେନ୍ଦ୍ର ସରକାର ଆଗାମୀ ଦିନରେ ଓଡ଼ିଶାକୁ ସୁନାର ଓଡ଼ିଶାରେ ପରିଣତ କରିବେ ବୋଲି ଜନତା ମଇଦାନରେ ମଙ୍ଗଳବାର ନିଜ ଜନ୍ମଦିନରେ ବହୁ ଆକାଂକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁଇଚ୍ ଟିପି ରାଜ୍ୟର ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଖାତାକୁ ପ୍ରଥମ କିସ୍ତି ସୁଭଦ୍ରା ସହାୟତା ରାଶି ପ୍ରଦାନ କରିଥିଲେ। ଯୋଜନାରେ ୧ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।