ସରିଲା ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେଲେ ଲୋକଙ୍କ ଠାରୁ ସଂଗ୍ରହ ଚାଉଳ ଗୁଆ କେଉଁ କାମରେ ଲାଗିବ, ଜାଣନ୍ତୁ ପୁରା ଖବର

 
Arpana ratha

ବହୁ ପ୍ରତୀକ୍ଷିତ ପୁରୀ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ ଗତକାଲି ଲୋକାର୍ପିତ ହୋଇଛି । ଏଥିସହ ଜଗନ୍ନାଥ ମନ୍ଦିର ଇତିହାସରେ ଏକ ନୂତନ ଫର୍ଦ୍ଦ ଯୋଡି ହୋଇ ଯାଇଛି । ଏ ନେଇ ସମଗ୍ର ରାଜ୍ୟରେ ଆଧ୍ୟାତ୍ମିକ ମାହୋଲ ଦେଖିବାକୁ ମିଳିଥିଲା । ଚାରିଆଡେ ପରିବେଶ ଜଗନ୍ନାଥମୟ ହୋଇଥିଲା । ଏମିତି ହେବା ସ୍ୱାଭାବିକ କାରଣ ଓଡିଆ ଜଗା ହେଉଛି ମଉଡ ମଣି ।

Arpana ratha

ତେବେ ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ତରଫର ୮ ହଜାର ଅର୍ପଣ ରଥ ରାଜ୍ୟର କୋଣ କୋଣ ବୁଲି ଲୋକଙ୍କ ଠାରୁ ଚାଉଳ ଗୁଆ ସଂଗ୍ରହ କରିଥିଲା। ଏହି ଅର୍ପଣ ରଥରୁ ସଂଗ୍ରହ ହୋଇଥିବା ଚାଉଳ, ଗୁଆ, ଟଙ୍କା ଓ ନଡ଼ିଆ ପୁରୀକୁ ଯାଇ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ ହେବ ବୋଲି କୁହାଯାଇଥିଲା। ହେଲେ ଏହା ପୁରୀକୁ ନ ଯାଇ ବିଭିନ୍ନ ମନ୍ଦିରରେ ରଖାଯାଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଏବେ ପ୍ରଶ୍ନ ଉଠୁଛି ପରିକ୍ରମା ପ୍ରକଳ୍ପର ପ୍ରଚାର ନାଁରେ ଗାଁ ଗାଁ ବୁଲି ଅର୍ପଣ ରଥ ଜରିଆରେ ଲୋକଙ୍କଠୁ ଯେଉଁ ଗୁଆ ଚାଉଳ ସଂଗ୍ରହ କରାଗଲା ଏବେ ତାହା ଯିବ କୁଆଡେ ଏବଂ ଏହା ହେବ କଣ । ପୁରୀକୁ ଚାଉଳ ଗୁଆ ଯିବ ବୋଲି ପ୍ରଥମେ କୁହାଯାଇଥିଲା । କିନ୍ତୁ ପୁରୀ ଶ୍ରୀମନ୍ଦିରରେ ତ ବାହାରର କୌଣସି ଚାଉଳ ପ୍ରବେଶ ମନା ।

ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଥିଲେ, ଅର୍ପଣ ରଥ ବୁଲିବା ଆଉ ଗୁଆ ଚାଉଳ ଲୋକଙ୍କଠୁ ଗ୍ରହଣ କରିବା ଏ ନିଷ୍ପତି ଶ୍ରୀମନ୍ଦିର ପରିଚାଳନା କମିଟିର ନୁହେଁ । ଏହି କଥା କେବଳ ସରକାର ହିଁ କହି ପାରିବେ । ସରକାରଙ୍କୁ ପଚରାଯାଉ । ତେବେ ଏ ଚାଉଳ ଏବେ ହେବ କଣ । ପୁରୀ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ ପାଇଁ ଗାଁଠୁ ନେଇ ସହର ପର୍ଯ୍ୟନ୍ତ ଚାରିଆଡେ ଅର୍ପଣ ରଥ ବୁଲିଛି । ଗାଁ ଗାଁରେ ସଂକୀର୍ତନ କରାଯାଇ ପ୍ରତି ଘରୁ ଗୁଆ, ଚାଉଳ ଓ ଟଙ୍କା ନିଆଯାଇଛି । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସରିଗଲା । ଏବେ କ୍ୱିଂଟାଲ କ୍ୱିଂଟାଲ ଚାଉଳ ଯିବ କୁଆଡେ ଏବଂ କଣ ହେବ ତାକୁ ନେଇ ଅସମାହିତ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରିଲାଣି । ସାଧାରଣ ଜନତା ଏହାକୁ ନେଇ ପ୍ରଶ୍ନ କରିବା ଆରମ୍ଭ କଲେଣି ।

Caula gua

ସୂଚନା ମୁତାବକ , ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର ଓ ଏଥିରେ ଲୋକଙ୍କୁ ଯୋଡିବାକୁ ପ୍ରତି ଘରୁ ଗୁଆ, ଚାଉଳ ସଂଗ୍ରହ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ ରାଜ୍ୟ ସରକାର । ଏଥିପାଇଁ ପଞ୍ଚାୟତ ପିଛା ୨ ଲକ୍ଷ, ଏନଏସିରେ ୱାର୍ଡ ପିଛା ୩ ଲକ୍ଷ ଏବଂ ପୌରପାଳିକାରେ ୱାର୍ଡ ପିଛା ୫ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ଅନୁଦାନ ଦେଇଥିଲେ। ପରିକ୍ରମା ରଥ ସହ ଅନ୍ୟାନ୍ୟ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ବାବଦକୁ ମୋଟ ୧୩୫ କୋଟି ୮୮ ଲକ୍ଷ ଖର୍ଚ୍ଚ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନେଇଥିଲେ ସରକାର। ହେଲେ ଚାଉଳ , ଗୁଆ କାହିଁକି ପରିକ୍ରମା ପ୍ରକଳ୍ପରେ ବ୍ୟବହାର କରାଗଲାନାହିଁ, କାହିଁକି ଏସବୁ ଗୋଦାମ ଘରେ ପଡି ରହିଛି, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ନେତା ।

​​​​​​