ଦେଖନ୍ତୁ ଭିଡିଓ: ଭିଡ଼ ଭିତରକୁ ଧାଇଁ ଆସିଲେ ସହିଦ ସରୋଜଙ୍କ ପତ୍ନୀ, ସହିଦ ସ୍ୱାମୀଙ୍କୁ ଶେଷଥର ପାଇଁ ଦେଖିବାକୁ

 
Sahid

ଲୁହରେ ଭିଜୁଚି ସହିଦଙ୍କ ଜନ୍ମଭୂମି। ସାରା ଗାଁରେ ଏବେ ଶୋକାକୁଳ ପରିବେଶ। ସିକ୍କିମ ବନ୍ୟାରେ ସହିଦ ହୋଇଥିବା ଓଡ଼ିଆ ପୁଅ ସରୋଜ କୁମାର ଦାସଙ୍କ ଢେଙ୍କାନାଳ ଜିଲ୍ଲା ପୈତୃକ କେନ୍ଦୁଢିପ ଗାଁରେ କିଛି ଏଭଳି ଦୃଶ୍ୟ ଦେକିବାକୁ ମିଳିଛି। ବୀର ପୁଅକୁ ମନେପକେଇ ଘର ଅଗଣାରେ ବାହୁନି ବାହୁନି କାନ୍ଦୁଛନ୍ତି ସହିଦ ସରୋଜ ଦାସଙ୍କ ବାପା। ସେନାରେ ଚୟନ ବେଳେ ଛାତିକୁ ପଥର କରି ଦେଶ ମାତୃକାର ସେବା କରିବା ଲକ୍ଷ୍ୟରେ ସେନା ବାହିନୀରେ ଯୋଗେ ଦେଇଥିବା ପୁଅ ସରୋଜକୁ ଦେଇଥିଲେ ସାହସ।

Sahid

ଆଜି ବିମାନବନ୍ଦରରେ ପହଞ୍ଚିବା ପରେ ସହିଦ ସରୋଜ ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ଗାର୍ଡ ଅଫ୍ ଅନର ଦିଆଯାଇଥିବାବେଳେ ସେଠାରେ ଉପସ୍ଥିତ ଥିଲେ ତାଙ୍କ ବଡ଼ ଭାଇ। ସହିଦ ସରୋଜଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତିମାନେ।

ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସରୋଜଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ନିଜ ଗାଁ ଅଭିମୁଖେ ଯାଇଥିଲା ପାର୍ଥିବ ଶରୀର। ବାଟସାରା ସହିଦଙ୍କୁ ଶେଷ ସଲାମ କରିବା ପାଇଁ ଅପେକ୍ଷା କରିଥିଲେ ଲୋକେ। ଶେଷରେ ନିଜ ଗାଁ କେନ୍ଦୁଢିପରେ ପହଞ୍ଚିବା ପରେ ସହିଦ ସରୋଜ ଦାସ ଅମର ରହେ ନାରା କମ୍ପିପଡ଼ିଥିଲା ଆଖପାଖ ଅଞ୍ଚଳ। ଶେଷଯାତ୍ରାରେ ହଜାରହଜାର ଲୋକଙ୍କ ସମାଗମ ହୋଇଥିଲା। ଶେଷରେ ସଞ୍ଜ ଗଡ଼ୁଗଡ଼ୁ ଶେଷ ହୋଇଥିଲା ଅନ୍ତିମ ସଂସ୍କାର। ପଞ୍ଚଭୂତରେ ବିଲୀନ ହୋଇଥିଲେ ଭାରତ ମାତାର ଏହି ବୀର ଯବାନ।

ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ସିକ୍କିମରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ଓଡିଆ ଯବାନ ସରୋଜଙ୍କୁ ମିଶାଇ ମୋଟ ୨୩ଜଣ ଯବାନ ସେନା ଗାଡିରେ ବସିଥିବା ବେଳେ ଭାସିଯାଇଥିଲେ। ଦୁଇ ଦିନ ପରେ ମୃତଦେହ ଚିହ୍ନଟ କରିବାକୁ ପରିବାର ଲୋକଙ୍କୁ ଫୋନରେ ଡାକିଥିଲେ କର୍ତ୍ତୃପକ୍ଷ।

ଶେଷରେ ପରିବାର ଲୋକଙ୍କୁ ଭିଡିଓ କଲ କରି ମରଶରୀର ଚିହ୍ନଟ କରିଥିଲେ ସେନାବାହିନୀ। ଗତକାଲି ସହିଦ ସରୋଜଙ୍କ ପାର୍ଥିବ ଶରୀର ଓଡ଼ିଶାର ଆସିବାର ଥିଲା ମାତ୍ର କୌଣସି କାରଣ ବଶତଃ ଆସିପାରି ନଥିଲା। ତେଣୁ ଆଜି ଜନ୍ମମାଟିକୁ ଆସିଥିଲା ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର।