ଦେଖନ୍ତୁ ଭିଡ଼ିଓ: ଟ୍ରେନ୍ ଦୁର୍ଘଟଣା ନେଇଗଲା ଜୀବନ, ହାତରେ ଫଟୋ କାନ୍ଦି କାନ୍ଦି ବାପାଙ୍କୁ ଖୋଜୁଛି ୪ ବର୍ଷର ଝିଅ

 
Train trazedy

କୋଳ ଶୂନ୍ୟ କରିଦେଲା କରମଣ୍ଡଳ ଦୁର୍ଘଟଣା। ରାଜଧାନୀ ଭୁବନେଶ୍ୱରର ସବୁ ହସ୍ପିଟାଲରେ ଗୋଟିଏ ପ୍ରକାର ଦୃଶ୍ୟ। କେଉଁଠି ବାପା ମଲା ପୁଅକୁ ଖୋଜୁଛି ପୁଣି କେଉଁଠି ମୁର୍ଦ୍ଦାରଘର ଅଣ୍ଡାଳୁଛି ମା’। ପୁଣି ଆଉ କେଉଁଠି ଆତ୍ମିୟ ସ୍ୱଜନକୁ ହରାଇ ବନ୍ଧୁ ପରିବାର ବର୍ଗ ସ୍ତବ୍ଧ ହୋଇଯାଇଛନ୍ତି। ଆଉ କେହି କେହି ଶବ ଚିହ୍ନଟ ନହୋଇପାରିବାରୁ ଭାଙ୍ଗି ପଡ଼ିଲେଣି। ବାଲେଶ୍ୱର ବାହାନଗା ଷ୍ଟେସନରେ ଶହ ଶହ ଜୀବନ ନେଇଛି କରମଣ୍ଡଳ ଦୁର୍ଘଟଣା।

Train

ସେମିତି ଏକ ଦୃଦୟଥରା ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱରର ସିଙ୍ଗିପୁର ଗ୍ରାମରେ। ୪ ବର୍ଷର ଗୋଟିଏ କୁନି ଝିଅ ତା ବାପାଙ୍କ ଫଟୋକୁ ଧରି କାନ୍ଦି କାନ୍ଦି ଝୁରି ହେଉଛି। ବାପା ବାପା ..କୁନି ଝିଅଟିର କୋହ ଭରା ଏଇ ବାପା ଡାକ ସମସ୍ତଙ୍କ ହୃଦୟକୁ ଦୋହଲାଇ ଦେଉଛି। ଘଡି କୁ ଘଡି ଆସି ବାପା କେତେବେଳେ ଆସିବେ ବୋଲି ମା କୁ ପଚାରୁଛି କଅଁଳିଆ ପିଲାଟି। ଫଟୋ ଧରି ବାପାକୁ ଝୁରିଛି। ହେଲେ ସେ ଜାଣିନି ବାପା ଡାକ ଶୁଣିବାକୁ ତା ବାପା ଆଉ ଏ ଦୁନିଆରେ ନାହାନ୍ତି।

ଗ୍ରାମର ଭଗବାନ ପଳେଇଙ୍କ ଏକମାତ୍ର ପୁଅ ଥିଲେ ବିକ୍ଷିପ୍ତ ପଳେଇ। ବିକ୍ଷିପ୍ତ ଟାଟା ପୱାର ବିଦ୍ୟୁତ କମ୍ପାନୀର ବାଲେଶ୍ୱର ଶାଖାରେ ଆକାଉଣ୍ଟସ୍ ଅଧିକାରୀ ଭାବେ କାର୍ଯ୍ୟ କରନ୍ତି। ଭଦ୍ରକରେ ଘର ଭଡା ନେଇ ରହୁଥିବା ବେଳେ ପ୍ରତିଦିନ କରମଣ୍ଡଳ ଟ୍ରେନରେ ବାଲେଶ୍ୱର ପର୍ଯ୍ୟନ୍ତ ଯିବା ଆସିବା କରିଥାନ୍ତି। ସବୁଦିନ ପରି ସେହିଦିନ ସେହି ଟ୍ରେନ ଯାଇଥିଲେ। 

ଟ୍ରେନରେ ବସିବା ପରେ ସ୍ତ୍ରୀ ଶୁଭଶ୍ରୀ ମହାନ୍ତିଙ୍କ ସହ ଫୋନରେ କଥା ହୋଇଥିଲେ। ବହୁ ଶୀଘ୍ର ଘରେ ପହଁଚିବି ବୋଲି କହିଥିଲେ। ହେଲେ ଶୁଭଶ୍ରୀ ଜାଣିନଥିଲେ ଏହି କଥାଟି ତାଙ୍କ ସ୍ୱାମୀଙ୍କର ଶେଷ କଥା ହେଇଯିବ ବୋଲି। ତେବେ ବାପା ଭଗବାନଙ୍କ ପରେ ଏହି ପରିବାରର ବିକ୍ଷିପ୍ତ ଥିଲେ ଏକମାତ୍ର ରୋଜଗାର ବ୍ୟକ୍ତି। ଏବେ ତାଙ୍କର ଅକାଳ ମୃତ୍ୟୁ ପରିବାରକୁ ମୁରବୀହୀନ କରି ଦେଇଛି।