ନୂଆବର୍ଷରେ ବଣଭୋଜି ଓ ପ୍ରକୃତିର ମଜା ନେବା ପାଇଁ ଓଡିଶାର ଏହି ୫ଟି ଉକୃଷ୍ଟ ସ୍ଥାନକୁ ଯାଆନ୍ତୁ

 
ନୂଆବର୍ଷରେ ବଣଭୋଜି ଓ ପ୍ରକୃତିର ମଜା ନେବା ପାଇଁ ଓଡିଶାର ଏହି ୫ଟି ଉକୃଷ୍ଟ ସ୍ଥାନକୁ ଯାଆନ୍ତୁ

ନୂଆବର୍ଷ ପାଖେଇ ଆସିବା କ୍ଷଣି ଓଡିଶାରେ ଆରମ୍ଭ ହୋଇଯାଏ ପିକନିକ୍ ବା ବଣଭୋଜି ଭ୍ରମଣ। ପ୍ରକୃତି କୋଳରେ କିଛି ସମୟ ଅତିବାହିତ ବାହିତ କରିବା ପାଇଁ କିଏ ବା ନ ଚାହେଁ। ସେଥିପାଇଁ ଆଜି ଆମେ ଆପଣଙ୍କୁ ଓଡିଶାର କିଛି ଏପରି ସ୍ଥାନ ବିଷୟରେ ବତେଇବୁ ଯାହା ଆପଣଙ୍କ ନୂଆ ବର୍ଷକୁ ଆହୁରି ମନୋରମ କରିଦେବ ତେବେ ଆସନ୍ତୁ ଜାଣିବା-

ଖଣ୍ଡାଧାର: ପର୍ଯ୍ୟଟନ ଋତୁ ଆସିଲେ ସମଙ୍କର ମନେ ପଡେ କେନ୍ଦୁଝର ଜିଲ୍ଲାର ଖଣ୍ଡାଧାର ଜଳ ପ୍ରପାତ। କେନ୍ଦୁଝର ଠାରୁ ଏହାର ଦୂରତା ପ୍ରାୟ ୬୦ କିମି। ବାଂଶପାଳ ବ୍ଲକ ଅନ୍ତର୍ଗତ କାଦକଳା ପଂଚାୟତରେ ଏହା ଅବସ୍ଥିତ। ଖଣ୍ଡାର ଧାର ଭଳି ୭୦୦ ଫୁଟ୍ ଉଚ୍ଚ ପାହାଡରୁ ନଦୀର ଜଳ ତଳକୁ ପଡୁଥିବାର ଏହାର ନାମକରଣ ଏପରି କରାଯାଇଛି। ସୁଉଚ୍ଚରୁ ପାଣି ଖସି ପଡୁଥିବା ସମୟରେ ଏହା ତୀର୍ୟ୍ୟକ ସୂର୍ଯ୍ୟ କିରଣ ପଡି ଭାସମାନ ଇନ୍ଦ୍ରଧନୁର ଭ୍ରମ ମଧ୍ୟ ସୃଷ୍ଟି କରିଥାଏ। ଏହା ପାଖରେ ଏକ ଶୀବ ମନ୍ଦିର ରହିଛି। ଏଠାକୁ ଯିବା ପାଇଁ ଉଭୟ ବସ୍ ଓ ଟ୍ରେନର ସୁବିଧା ରହିଛି

ସୀତାକୁଣ୍ଡ: ବଣ୍ଡା ଜନଜାତିର ଲୋକଙ୍କ ସଂସ୍କୃତି ଓ ପରମ୍ପରା ଜାଣିବା ପାଇଁ ସୀତାକୁଣ୍ଡ ଏକ ନିଆରା ପର୍ଯ୍ୟଟନ ସ୍ଥଳୀ। ବଣ୍ଡାମାନଙ୍କର ବେଶଭୂଷା, ପର୍ବପର୍ବାଣୀ ପ୍ରକୃତି କୂଳରେ ବଂଚିବାର ଭିନ୍ନ ଜୀବନଶୈଳୀ ବିଷୟରେ ଜାଣିବାକୁ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ବଣ୍ଡାଘାଟିର ପାହାଡ ଶୀର୍ଷରେ ପୂଜା ପାଉଛନ୍ତି ସେମାନଙ୍କ ଅଧିଷ୍ଠାତ୍ରୀ ଦେବୀ ଡାଲଖାଇ ଠାକୁରାଣୀ। ଲୋକକଥା ହିସାବରେ ରାମଚନ୍ଦ୍ର ଙ୍କ୧୪ ବର୍ଷବନବାସ ମଧ୍ୟରୁ ଗୋଟିଏ ବର୍ଷ ଏଠାରେ ଅତିବାହିତ କରିଥିଲେ। ଏକ ଝରଣା କୁଣ୍ଡରେ ସୀତାଦେବୀ ସ୍ନାନ କରୁଥିବାରୁ ଏହାର ଏପରି ନାମକରଣ ହୋଇଛି। ଏଠାକୁ ଯିବା ପାଇଁ ନିକଟତମ ରେଳ ଷ୍ଟେସନ ହେଉଛି କୋରାପୁଟ, ଏଠାରୁ ବସ୍ ଯୋଗେ ଜୟପୁରରୁ ଚିତ୍ରକୋଣ୍ଡାକୁ ସଂଯୋଗ କରୁଥିବା ୪୭ ନମ୍ବର ଜାତୀୟ ରାଜପଥରେ ଖଇରପୁଟ ଆସି ବଣ୍ଡାଘାଟିକୁ ଯିବାକୁ ସୁବିଧା ରହିଛି।

ବଡଟାସରା: ନୟାଗଡ ଜିଲ୍ଲା ଖଣ୍ଡାପଡା ବ୍ଲକ ମମୁଖ୍ୟାଳୟର ଅନତି ଦୁରରେ ରହିଛି ପିକନିକ୍ ସ୍ପଟ ବଡଟାସରା। ପାହାଡ ପରିବେଷିତ ଏହି ସ୍ଥାନର ବିଶେଷତଃ ହେଉଛି ଇଟାରେ ଆଛାଦିତ ହନୁମାନଙ୍କ ମୂର୍ତ୍ତୀ। ନିକଟରେ ସୁନାମୁହିଁ ଝରଣାର କୁଳୁକୁଳୁ ନାଦ, ବିଶାଳକାୟ ସମତଳ ପ୍ରସ୍ତରଖଣ୍ଡ, ଫୁଲ ଉଦ୍ୟାନ , ଜଳାଶୟ ଦର୍ଶକ ଙ୍କୁ ଆକୃଷ୍ଟ କରେ। ବିଭିନ୍ନ ସମୟରେ ସାଧୁସନ୍ଥ ଙ୍କ ସମାଗମ ହୋଇଥାଏ। କେବଳ ସଡକପଥରେ ଏଠାକୁ ଯାଇହେବ। ଖଣ୍ଡାପଡା ଫରେଷ୍ଟ ଗେଟଠାରୁ ବାଇକ୍ ସାଇକଲ କିମ୍ବା ଚାଲିଚାଲିଯିବାକୁ ପଡେ। ଭୁବନେଶ୍ବର ଠାରୂ ଏହାର ଦୂରତା ୮୦ କିମି ହେବ।

ତୃପ୍ତି ସଫାରି: ହରିଚନ୍ଦନପୁର ବ୍ଲକ ମୁଖ୍ୟାଳୟ ଠାରୁ ପାଖାପାଖି ୨୪ କିମି ଗଲେ ପଡେ ନୁଦୁରୁପଡା ଛକ ଏହି ଛକ ଠାରୁ ଦେଢକିମି ଗଲେ ପଡେ ତୃପ୍ତି ସଫାରି। ଗ୍ରାମଚଂଳରେ ଗଢିଉଠିଥିବା ଏହି ତୃପ୍ତି ସଫାରିରେ ବିଭିନ୍ନ ଆକର୍ଷଣୀୟ କାରୁକାର୍ଯ୍ୟ ଓ ମନଲୋଭା ସବୁଜ ବଳୟ ସୃଷ୍ଟି କରିପାରିଛି ଏକ ନିଆରା ପରିଚୟ। ତାସହିତ ସେଲଫି ପାର୍କରେ ତିଆରି ହୋଇଥିବା ଅକର୍ଷଣୀୟ ମୂର୍ତୀ ଓ ଫଳଚିତ୍ର ଭିତରେ ବାହାରେ ସେଲଫି ନେବା ଏଠାରେ ପର୍ଯ୍ୟଟକଙ୍କୁ ନିଆରା ମଜା ଦେଉଛି। ଏଥିସହିତ ବିଭିନ୍ନ କିଷମର ରଙ୍ଗବେରଙ୍ଗର ଫୁଲ ବଗିଚା,ଭିନ୍ନ ଭିନ୍ନ କିଶମର ଦୋଳି,ଘଂଚବୁଦାଳିଆ ଗଛତଳେ ଭୋଜି ଓ ବୋଟିଙ୍ଗର ମଜାନେବାକୁ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ମଜାନେବାକୁ ପଛାଉ ନାହାନ୍ତି।

ଶିଆଳି ବେଳାଭୂମି: ଜଗତସିଂହପୁର ଜିଲ୍ଲାର ଶିଆଳି ବେଳାଭୂମିରେ ପର୍ଯ୍ୟଟକମାନେ ପ୍ରକୃତିର ମନୋରମ ଦୃଶ୍ୟକୁ ମନଭରି ଉପଭୋଗ କରୁଛନ୍ତି। ସମୁଦ୍ରର ଘୋ ଘୋ ଗର୍ଜନ ସାଙ୍ଗକୁ ସୌନ୍ଦର୍ଯ୍ୟରେ ଭରପୁର ଶିଆଳି ବେଳାଭୂମି ଦେଖଣାହାରୀଙ୍କ ମନ ମୋହୁଛି। ଶିଆଳିର ବିସ୍ତୀର୍ଣ୍ଣ ବେଳାଭୂମି ସାଙ୍ଗକୁ ଝାଉଁ ଜଙ୍ଗଲରେ ବୁଲିବାର ମଜା ଦର୍ଶକଙ୍କୁ ବେଶ୍ ଆକର୍ଷିତ କରୁଛି। କେବଳ ନୂଆବର୍ଷ କିମ୍ବା ବଡ଼ଦିନ ନୁହେଁ ପ୍ରକୃତିର ମନୋରମ ଦୃଶ୍ୟ ଦେଖିବାକୁ ବେଳାଭୂମିରେ ବର୍ଷସାରା ଭିଡ଼ ଜମେ।