ରାଜଧାନୀର ଏହି ୩୨ଟି ଛକ ଦେଇ ଯାଉଥିଲେ ସାବଧାନ, କଟୁଛି ଅଟୋମେଟିକ୍ ଚାଲାଣ, ଜାଣନ୍ତୁ ପୂରା ଖବର

ରାଜଧାନୀବାସୀ ହୋଇଯାଆନ୍ତୁ ସତର୍କ, ବର୍ତ୍ତମାନ ଯଦି ଆପଣ ଟ୍ରାଫିକ୍ ସଙ୍କେତକୁ ମାନୁନାହାନ୍ତି ଏବଂ ସେମାନଙ୍କ ସାମ୍ନାରେ ଟ୍ରାଫିକ୍ ନିୟମ ଭାଙ୍ଗୁଛନ୍ତି ତେବେ ଆପଣଙ୍କ ପକେଟ ଖାଲି କରିବାକୁ ପ୍ରସ୍ତୁତ ହୁଅନ୍ତୁ । ଆପଣଙ୍କ ମୋବାଇଲ୍ ଫୋନରେ ଏକ ମେସେଜ ଆସିବ ଏବଂ ତାପରେ ଆପଣ ଚକିତ ହୋଇଯିବେ ଯେ ନିୟମ ଭାଙ୍ଗିବା ପାଇଁ ଆପଣଙ୍କୁ ଏତେ ଜୋରିମାନା କରାଯାଇଛି ।
କେବଳ ଏତିକି ନୁହେଁ, କେଉଁ ନିୟମକୁ ଆପଣ ଭାଙ୍ଗିଛନ୍ତି ଏବଂ ଏଥିପାଇଁ ଆପଣଙ୍କୁ କେତେ ଦେବାକୁ ପଡିବ ଏହାର ସମସ୍ତ ସୂଚନା ଆପଣଙ୍କ ମୋବାଇଲରେ ଗାଡି ଚଳାଇବା ସମୟରେ ଗାଡିର ଫଟୋ ସହିତ ପହଞ୍ଚିବ । ସହରର ଟ୍ରାଫିକ ସିଗନାଲରେ ଟ୍ରାଫିକ ଭାଓଲେସନ୍ ଡିଟେକ୍ଟର ସିଷ୍ଟମ୍ (TVDS) କ୍ୟାମେରା ଲଗାଯାଇଛି । ଯେଉଁମାନେ ବିନା ହେଲମେଟ୍, ଫୋନ୍ରେ ଗପିବା, ରେଡ୍ ଲାଇଟ୍ ଉଲ୍ଲଂଘନ, ସିଟ ବେଲ୍ଟ ନ ପିନ୍ଧିବା, ରଙ୍ଗ୍ରୁଟ୍ ଗାଡ଼ି ଚାଳନା ଓ ଜେବ୍ରା କ୍ରସିଂ ନିୟମ ଭଳି ଟ୍ରାଫିକ ନିୟମ ଭାଙ୍ଗିଲେ ସିସିଟିଭିରେ ଉଲ୍ଲଂଘନକାରୀ ଚିହ୍ନଟ ହେବା ସହ ତୁରନ୍ତ ଅଟୋମେଟିକ୍ ଚାଲାଣ କଟୁଛି ।
ରାଜଧାନୀରେ 32 ଟି ଛକରେ ଲାଗିଛି 312 ଟି କ୍ୟାମେରା । ରାଜଧାନୀର ଏହି 32 ଟି ଛକରେ ସ୍ୱୟଞ୍ଚାଳିତ ଟ୍ରାଫିକ ବ୍ୟବସ୍ଥା କାମ କରୁଛି । ଏୟାରପୋର୍ଟ, କ୍ୟାପିଟାଲ୍ ହସ୍ପିଟାଲ, ଫରେଷ୍ଟ ପାର୍କ, ହାଉସିଂବୋର୍ଡ, କଳିଙ୍ଗ ଷ୍ଟାଡିୟମ, କଳ୍ପନା, କିଟ୍ ସ୍କୋୟାର, ନିକୋ ପାର୍କ, ପଟିଆ, ପାୱାର ହାଉସ, ରାଜମହଲ, ରାମମନ୍ଦିର, ରୂପାଲି, ଶିଶୁଭବନ, ବରମୁଣ୍ଡା, ଏକାମ୍ରକାନନ ରୋଡ, ଜୟଦେବ ବିହାର, ନାକାଗେଟ୍, ମଧୁସୂଦନ ପାର୍କ ପୋଖରୀପୁଟ, ଚନ୍ଦକାରୋଡ, ଟ୍ରାଇଡେଣ୍ଟ୍ ହୋଟେଲ୍, ବାଣୀବିହାର, ରସୁଲଗଡ଼, ଶାସ୍ତ୍ରୀନଗର, 120 ବାଟାଲିୟନ ଭଳି ଛକଗୁଡ଼ିକରେ ଏଭଳି ବ୍ୟବସ୍ଥା କରାଯାଇଛି ।
ଏହି କ୍ୟାମେରାରେ ଗାଡି ନମ୍ବର ଏବଂ ଡ୍ରାଇଭରର ଫଟୋ କଏଦ ହେବ । ଯେଉଁମାନେ ଏହି କ୍ୟାମେରାଗୁଡ଼ିକୁ ନିୟନ୍ତ୍ରଣ କରୁଛନ୍ତି ସେମାନେ ଦେଖିବେ । ଏହାକୁ ଆଧାର କରି ଚାଲାଣ କଟାଯିବ ଏବଂ ଡ୍ରାଇଭରଙ୍କ ମୋବାଇଲ ନମ୍ବରକୁ ଇ-ଚାଲାଣ ପଠାଯିବ । ସହରର ଅନେକ ସ୍ଥାନରେ ଏହି କ୍ୟାମେରା ଲଗାଯାଇଛି । ପ୍ରତ୍ୟେକ ଦିନ ସହରରେ ହାରାହାରି 2 ହଜାର ଚାଲାଣ କଟୁଛି । ସପ୍ତାହରେ ସ୍ୱୟଞ୍ଚାଳିତ ଟ୍ରାଫିକ ବ୍ୟବସ୍ଥାରେ ସାଢ଼େ 12 ହଜାର ଚାଲାଣ କଟିଥିବା ଜଣାପଡ଼ିଛି । ସେଭଳି ଟ୍ରାଫିକ ନିୟମ ମାନୁନଥିବା ଅମାନିଆଙ୍କୁ ଚିହ୍ନଟ କରି ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ୍ କରାଯାଉଛି ।