ବଦଳିବ ଓଡ଼ିଶା ବିକାଶର ଚିତ୍ର, କମିବ ବେକାରୀଙ୍କ ସଂଖ୍ୟା ଆସୁଛି ବଡ଼ ନିଯୁକ୍ତି, ଜାଣନ୍ତୁ ପୁରା ଖବର
ରାଜ୍ୟରେ ଆଉ 15ଟି ନୂଆ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଫଳରେ ରାଜ୍ୟରେ ନିବେଶ ହେବ 3353.15 କୋଟି । ଏହା ଦ୍ୱାରା ସୃଷ୍ଟି ହେବ 4637 ନିଯୁକ୍ତି ସୁଯୋଗ । ପୁରୀ, କୋରାପୁଟ, ଖୋର୍ଦ୍ଧା, ବରଗଡ଼, କଟକ ଓ ଝାରସୁଗୁଡାରେ ପ୍ରତିଷ୍ଠା ହେବ ଶିଳ୍ପ । ଶକ୍ତି, ରସାୟନ, ଖାଦ୍ୟ ପ୍ରକ୍ରିୟା କରଣ, ପର୍ଯ୍ୟଟନ, ଷ୍ଟିଲ, ସେମେଣ୍ଟ ଶିଳ୍ପରେ ହେବ ନିବେଶ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏସଏଲଏସଡବ୍ଲୁସିଏ ବୈଠକ ।
ବୈଠକରେ ଓଡ଼ିଶା ସରକାର 3353.15 କୋଟି ଟଙ୍କାର ମିଳିତ ନିବେଶରେ 15ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହା ଫଳରେ 4637ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ରାସାୟନିକ ତଥା ନବୀକରଣଯୋଗ୍ୟ ଶକ୍ତି, ଇସ୍ପାତ ଡାଉନଷ୍ଟ୍ରିମ, ଆଲୁମିନିୟମ ଡାଉନଷ୍ଟ୍ରିମ, ଖାଦ୍ୟ ପ୍ରକ୍ରିୟାକରଣ, ମାନୁଫାକ୍ଚରିଂ, ଟେକ୍ସଟାଇଲ ଏବଂ ଆପେରେଲ, ପର୍ଯ୍ୟଟନ, ଫାର୍ମାସ୍ୟୁଟିକାଲ୍ସ ଏବଂ ସିମେଣ୍ଟ କ୍ଷେତ୍ରରେ ପୁଞ୍ଜିନିବେଶ ହେବ ।
ଏହି ସମସ୍ତ ପ୍ରକଳ୍ପ କୋରାପୁଟ, ଖୋର୍ଦ୍ଧା, ବରଗଡ଼, ପୁରୀ, କଟକ ଓ ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟକାରୀ ହେବ । ରାସାୟନିକ ତଥା ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ବାୟୋ ଏନର୍ଜି ଲିମିଟେଡ ପୁରୀରେ କମ୍ପ୍ରେସ୍ଡ ବାୟୋ ଗ୍ୟାସ ଓ ଫର୍ମେଣ୍ଟେଡ ଜୈବିକ ସାର କାରଖାନା ସ୍ଥାପନ କରିବ । 121.21 କୋଟି ଟଙ୍କା ପୁଞ୍ଜିନିବେଶରେ 69 ନିଯୁକ୍ତି ସୃଷ୍ଟି ହେବ । ଏହା ସହିତ ଏଥିରେ ରାଜ୍ୟର ନିରନ୍ତର ଏବଂ ଅକ୍ଷୟ ଶକ୍ତି ଉତ୍ସ ଉପରେ ଗୁରୁତ୍ୱ ରହିଛି ।
ଇସ୍ପାତ କ୍ଷେତ୍ରରେ କଟକରେ ବିକେ ଷ୍ଟିଲ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏହାର ପ୍ରକଳ୍ପକୁ ଅଧିକ ସମ୍ପ୍ରସାରଣ କରିବ । ଯେଉଁଥିରେ ସ୍ପଞ୍ଜ ଆଇରନ, ବିଲେଟ, ଫେରୋ ଆଲଏଜ, ସିଣ୍ଟର ପ୍ଲାଣ୍ଟ ଏବଂ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ସମେତ ଉତ୍ପାଦନ କ୍ଷମତା ବୃଦ୍ଧି କରିବ । ଏଥିପାଇଁ 750 କୋଟି ଟଙ୍କା ବିନିଯୋଗ ହେବ । ଏହି ପ୍ରକଳ୍ପ 800 ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ । ଟେକ୍ସଟାଇଲ ଆଣ୍ଡ ଆପେରେଲ କ୍ଷେତ୍ରରେ ଓଡ଼ିଶା ଟେକ୍ସଟାଇଲ ମ୍ୟାନୁଫାକ୍ଚରିଂ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧାରେ ଟେକ୍ସଟାଇଲ ବର୍ଜ୍ୟବସ୍ତୁରୁ ପୁନଃ ବ୍ୟବହାରକ୍ଷମ ସୂତା ଉତ୍ପାଦନ ପାଇଁ ଏକ କାରଖାନା ସ୍ଥାପନ କରିବ ।
51.80 କୋଟି ଟଙ୍କାର ଏହି ପ୍ରକଳ୍ପ ଦ୍ବାରା 535 ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଆଇଟିସି ଲିମିଟେଡ 119.14 କୋଟି ଟଙ୍କା ବିନିଯୋଗରେ ଭୁବନେଶ୍ୱରରେ ନିଜର ପଞ୍ଚତାରକା ହୋଟେଲ ୱେଲକମ ହୋଟେଲର ସମ୍ପ୍ରସାରଣ କରିବ । ଅତିରିକ୍ତ 240 ନିଯୁକ୍ତି ସୃଷ୍ଟି ହେବ । ଏସଜେ ଜେଆରଜି ଭେଞ୍ଚର୍ସ ଏଲଏଲପି ଏବଂ କ୍ରାକର୍ସ ଇଣ୍ଡିଆ ଇନଫ୍ରାଷ୍ଟ୍ରକଚର୍ସ ଲିମିଟେଡ ଅତିରିକ୍ତ ପ୍ରକଳ୍ପ ପୁରୀ ଏବଂ କୋରାପୁଟରେ ପ୍ରତିଷ୍ଠା କରିବ । ଏଥିରେ 154 କୋଟି ପୁଞ୍ଜିନିବେଶ ହେବ । 380 ନିଯୁକ୍ତି ସୃଷ୍ଟି ହେବ ।